ମୁମ୍ବାଇ: ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନାହିଁ ପୁଲିସ ଷ୍ଟେସନ। ଅଫିସିଆଲ ସିକ୍ରେଟ କହି ପୁଲିସ ଷ୍ଟେସନକୁ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧାଞ୍ଚଳ କହି ପାରିବ ନାହିଁ। ଥାନାରେ ଏକ ଭିଡିଓ ରେକର୍ଡିଂ ମାମଲାକୁ ନେଇ ଏହା କହିଛନ୍ତି ବମ୍ବେ ହାକୋର୍ଟର ନାଗପୁର ବେଞ୍ଚ। ବମ୍ବେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚର ଜଷ୍ଟିସ୍ ମନିଶ ପିଟାଲେ ଏବଂ ବାଲ୍ମିକୀ ମେଞ୍ଜେଜ୍ ଶୁଣାଣି କରି ରବୀନ୍ଦ୍ର ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଗ୍ରହଣ କରି ପୁଲିସ ଲଗାଇଥିବା ଅଫିସିଆଲ ସିକ୍ରେଟ ଆକ୍ଟକୁ ଖାରଜ କରିଦେଇଛନ୍ତି।
୨୦୧୮ରେ ରବୀନ୍ଦ୍ର ପୁଲିସ ଷ୍ଟେସନରେ ଜଣେ ଭିଡିଓ ରେକଡ଼ିଂକୁ ନେଇ ଅଫିସିଆଲ ସିକ୍ରେଟ ଆକ୍ଟ(ଓଏସଏ) ଅନୁଯାୟୀ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଉପାଧ୍ୟାୟ ହାଇକୋର୍ଟ ଯାଇଥିଲେ। ଯାହାକୁ ଯୁକ୍ତିଯୁକ୍ତ କହି କୋର୍ଟ ପୁଲିସ ମାମଲାକୁ ଖାରଜ କରି ଦେଇଛନ୍ତି। କୋର୍ଟ ଓଏସଏର ଧାରା ୩ ଓ ଧାରା ୨(୮)ର ଉଦାହରଣ ଦେଇ, ପୋଲିସ ଥାନା ଏହି ଅଧିନିୟମରେ ବିଶେଷ ରୂପେ ଉଲ୍ଲେଖିତ ନିଷିଦ୍ଧ ସ୍ଥାନ ନୁହେଁ ବୋଲି କହିଛନ୍ତି। ତେବେ କୋର୍ଟ ସରକାରୀ ଗୋପନୀୟତା ଅଧିନିୟମ ଧାରା ୨(୮) ନିଷିଦ୍ଧ ସ୍ଥାନର ଯେଉଁ ପରିଭାଷା ଦିଆଯାଇଛି ତାହା ପ୍ରାସଙ୍ଗିକ ବୋଲି କହିଛନ୍ତି। ସୂଚନା ଅନୁଯାୟୀ, ରବିନ୍ଦ୍ର ଉପାଧ୍ୟାୟ ତାଙ୍କ ପଡୋଶୀଙ୍କ ସହିତ ହୋଇଥିବା ବିବାଦ ଯୋଗୁ ପତ୍ନୀଙ୍କ ସହ ୱର୍ଦ୍ଧା ଥାନାକୁ ଯାଇଥିଲେ। ଉପାଧ୍ୟାୟ ପଡ଼ୋଶୀଙ୍କ ବିରୋଧରେ ଏକ ଏତଲା ଦେଇଥିଲେ।
ସେଠାରେ ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ଏକ ଏତଲା ରୁଜୁ ହୋଇଥିଲା। କାରଣ ଏହି ସମୟରେ ଉପାଧ୍ୟାୟ ପୋଲିସ ଥାନାରେ ହେଉଥିବା ଚର୍ଚ୍ଚାକୁ ତାଙ୍କ ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ପୁଲିସ ଅନୁଭବ କରିଥିଲା। ଏଥିରେ ପୋଲିସ ଉପାଧ୍ୟାୟଙ୍କ ଅଭିଯୋଗକୁ ରଦ୍ଦ କରିବା ସହ ତାଙ୍କ ବିରୋଧରେ ଗୋପନୀୟତା ଅଧିନିୟମ ଆଇନ ଧାରାରେ ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା।