ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ବଡ଼ କଥା କହିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଓ ରାଜସ୍ଥାନରେ ରାଜନୀତିକ ସଙ୍କଟ ଭିତରେ ବଡ଼ ବୟାନ ଦେଇଛନ୍ତି ସଚିନ ପାଇଲଟ। ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପାଇଲଟ ଗୁରୁବାର ସଂପ୍ରତି ରାଜନୀତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏହାର କିଛି ସମୟ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ସୋନିଆଙ୍କ ସହ ରୁଦ୍ଧଦ୍ୱାରା ବୈଠକ କରିଥିଲେ। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ରେସ୍‌ରୁ ଓହରି ଯିବା ସମ୍ପର୍କରେ […]

sachin

  • Published: Friday, 30 September 2022
  • , Updated: 30 September 2022, 08:43 AM IST

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଓ ରାଜସ୍ଥାନରେ ରାଜନୀତିକ ସଙ୍କଟ ଭିତରେ ବଡ଼ ବୟାନ ଦେଇଛନ୍ତି ସଚିନ ପାଇଲଟ। ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପାଇଲଟ ଗୁରୁବାର ସଂପ୍ରତି ରାଜନୀତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏହାର କିଛି ସମୟ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ସୋନିଆଙ୍କ ସହ ରୁଦ୍ଧଦ୍ୱାରା ବୈଠକ କରିଥିଲେ।

ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ରେସ୍‌ରୁ ଓହରି ଯିବା ସମ୍ପର୍କରେ ସୋନିଆଙ୍କୁ ଅବଗତ କରାଇଛନ୍ତି। ଏଥିସହ ତାଙ୍କ ସମର୍ଥନରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କ ପାଇଁ ଗେହଲଟ କ୍ଷମା ମଧ୍ୟ ମାଗିଛନ୍ତି। ଗେହଲଟ ଅଧ୍ୟକ୍ଷ ହେଲେ ସଚିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ଗେହଲଟଙ୍କ ସମର୍ଥନ କରୁଥିବା ବିଧାୟକମାନେ ବିରୋଧ କରିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା।

ଏସବୁ ଭିତରେ ସଚିନ ପାଇଲଟ ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ନିଜର ମତାମତ ଓ ନିଷ୍ପତ୍ତି ସୋନିଆଙ୍କୁ ଜଣାଇଛନ୍ତି। ଏଥିସହ ରାଜସ୍ଥାନ ପ୍ରସଙ୍ଗରେ ସୋନିଆ ଗାନ୍ଧି ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେ ଆଶା ରଖିଛନ୍ତି।

ସଚିନ ପାଇଲଟ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ଆମର ସବୁ କଥା ଶୁଣିଛନ୍ତି। ରାଜସ୍ଥାନରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଛି। ମୋ ମନରେ ଥିବା ଭାବନା ଓ ଫିଡବ୍ୟାକ ମୁଁ ସୋନିଆ ଗାନ୍ଧିଙ୍କୁ ଜଣାଇଛି। ଆମ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଓ ମତ ହେଲା ଆମେ କେମିତି ପରିଶ୍ରମ କରି ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତୁବୁ। ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ।

ମୋର ଆଶା ଆମ ସମସ୍ତଙ୍କ ମିଳିତ ଓ କଠିନ ପରିଶ୍ରମ ବଳରେ ଆମେ ପୁଣିଥରେ ରାଜସ୍ଥାନରେ ସରକାର ଗଠନ କରିବୁ। ରାଜସ୍ଥାନରେ ୫ ବର୍ଷ କଂଗ୍ରେସ ଶାସନ କରୁଥିବା ବେଳେ ଆଉ ୫ ବର୍ଷ ବିଜେପି ଶାସନ କରିବାର ଟ୍ରେଣ୍ଡ ରହିଛି। ହେଲେ ୨୦୨୩ରେ ଏହି ଟ୍ରେଣ୍ଡ ବଦଳିବ। କଂଗ୍ରେସ କାହିଁକି କ୍ରମାଗତ ଭାବେ ଦ୍ୱିତୀୟ ଥର ରାଜସ୍ଥାନରେ କ୍ଷମତା ଦଖଲ କରିପାରିବ ନାହିଁ? ଆମକୁ ସେ ଦିଗରେ କାମ କରିବାକୁ ପଡ଼ିବ।”

ରାଜସ୍ଥାନରେ ଗେହଲଟଙ୍କ ସମର୍ଥକମାନେ କରୁଥିବା ବିରୋଧ ସମ୍ପର୍କରେ ପଚରା ଯିବାରୁ ପାଇଲଟ କହିଛନ୍ତି, “ରାଜସ୍ଥାନ ପ୍ରସଙ୍ଗରେ ଯାହା ବି ସକାରାତ୍ମକ ପଦକ୍ଷେପ ନେବାକୁ ପଡ଼ିବ, ତା’ର ନିଷ୍ପତ୍ତି ସୋନିଆ ଗାନ୍ଧି ନେବେ।”

ଅନ୍ୟପକ୍ଷରେ କଂଗ୍ରେସର ସାଂଗଠନିକ ମହାସଚିବ ତଥା ବରିଷ୍ଠ ନେତା କେସି ଭେନୁଗୋପାଲ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ସୋନିଆ ଗାନ୍ଧି ଦିନେ କିମ୍ବା ଦୁଇ ଦିନ ଭିତରେ ଚୂଡ଼ାନ୍ତି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ।

Related story