ନୂଆଦିଲ୍ଲୀ: ୟୁପି ନିର୍ବାଚନର ଦିନକ ପୂର୍ବରୁ ଇସ୍ତହାର ପ୍ରକାଶ କରିଛି ୟୁପି କଂଗ୍ରେସ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଲଢ଼େଇ କରୁଥିବା ବେଳେ ଆଜି ୟୁପିବାସୀଙ୍କ ପାଇଁ ପ୍ରତିଶ୍ରୁତିର ପେଡ଼ି ଖୋଲିଛି। ଇସ୍ତାହାର ଜାରି କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ୧୦ଦିନ ମଧ୍ୟରେ ଚାଷୀଙ୍କ ଋଣ ଛାଡ ହେବ ।
ଗହମ-ଧାନ ୨୫୦୦ ଟଙ୍କାରେ ଏବଂ ଆଖୁ ୪୦୦ ଟଙ୍କାରେ କିଣାଯିବ। ବିଜୁଳି ବିଲ୍ ଅଧା ହୋଇଯିବ। କରୋନା ପାଇଁ ମୃତ୍ୟୁବରଣ କରିଥିବା ପରିବାରକୁ ୨୫୦୦ ଟଙ୍କା ଦିଆଯିବ। ଯୁବପୀଢ଼ିକୁ ୨୦ ଲକ୍ଷ ସରକାରୀ ଚାକିରି ଦିଆଯିବ। ୪୦ ପ୍ରତିଶତ ମହିଳାଙ୍କୁ ଚାକିରିରେ ସଂରକ୍ଷଣ ଦିଆଯିବ। ଯେଉଁମାନଙ୍କର ଫସଲ ନଷ୍ଟ ହେବ ସେମାନଙ୍କୁ ୩୦୦୦ ଟଙ୍କା ଦିଆଯିବ । ସେହିପରି ଗାଁ ମୁଖିଆଙ୍କ ଦରମା ୬୦୦୦ ଟଙ୍କା ହେବା ସହ ଚୌକିଦାରଙ୍କ ଦରମା ୫୦୦୦ ଟଙ୍କାକୁ ବୃଦ୍ଧି ପାଇବ। କରୋନାରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏସସି-ଏସଟି ଲୋକଙ୍କ ସମ୍ପୂର୍ଣ୍ଣ ଶିକ୍ଷା ମାଗଣାରେ କରାଯିବ। କାରିଗର ଏବଂ ବୁଣାକାରଙ୍କ ପାଇଁ ବିଧାନ ପରିଷଦରେ ଆସନ ସଂରକ୍ଷିତ ରହିବ। ଭିନ୍ନକ୍ଷମଙ୍କ ପେନ୍ସନ୍ ମାସକୁ ୬୦୦୦ ହେବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।
ପୂର୍ବରୁ ୨୦ ଲକ୍ଷ ନିଯୁକ୍ତି, ଋଣ ଛାଡ଼, ମାଗଣା ସ୍ମାର୍ଟଫୋନ ଓ ସ୍କୁଟି କଥା ଘୋଷଣା କରିଥିଲା କଂଗ୍ରେସ। ସେହିପରି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଣା କରାଯାଇ ଥିଲା । ଏ ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଘୋଷଣା କରିଥିଲେ। ସେହିପରି କଂଗ୍ରେସ କ୍ଷମତାକୁ ଫେରିଲେ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍, ସ୍ନାତ୍ତୋକତର ଗ୍ରାଜୁଏଟ ଛାତ୍ରୀଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ ବୋଲି ଦଳ କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।