ସିଦ୍ଧୁଙ୍କୁ ସମର୍ଥନ କରି ମନ୍ତ୍ରୀ ପଦ ଛାଡ଼ିଲେ ୨ ନେତା, ସାଧାରଣ ସମ୍ପାଦକ ବି ଦେଲେ ଇସ୍ତଫା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଅପ୍ରତ୍ୟାଶିତ ଇସ୍ତଫା ପୂରା ହଇଚଇ ସୃଷ୍ଟି କରିଛି। ସିଦ୍ଧୁଙ୍କ ପରେ ପ୍ରଥମେ କଂଗ୍ରେସ କୋଷାଧ୍ୟକ୍ଷ ପଦରୁ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଥିବା ବେଳେ ଏବେ ପଞ୍ଜାବ ସରକାରରେ ନୂଆ କରି ମନ୍ତ୍ରୀ ହୋଇଥିବା ୨ ଜଣ ନେତା ସମାନ ପଦକ୍ଷେପ ନେଇଛନ୍ତି। ସେମାନେ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ଇସ୍ତଫା ଦେଇଥିବା ୨ ମନ୍ତ୍ରୀ ହେଲେ ରେଜିଆ […]

Razia-Sultan

Hemant Lenka
  • Published: Tuesday, 28 September 2021
  • , Updated: 28 September 2021, 07:55 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଅପ୍ରତ୍ୟାଶିତ ଇସ୍ତଫା ପୂରା ହଇଚଇ ସୃଷ୍ଟି କରିଛି। ସିଦ୍ଧୁଙ୍କ ପରେ ପ୍ରଥମେ କଂଗ୍ରେସ କୋଷାଧ୍ୟକ୍ଷ ପଦରୁ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଥିବା ବେଳେ ଏବେ ପଞ୍ଜାବ ସରକାରରେ ନୂଆ କରି ମନ୍ତ୍ରୀ ହୋଇଥିବା ୨ ଜଣ ନେତା ସମାନ ପଦକ୍ଷେପ ନେଇଛନ୍ତି।

ସେମାନେ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ଇସ୍ତଫା ଦେଇଥିବା ୨ ମନ୍ତ୍ରୀ ହେଲେ ରେଜିଆ ସୁଲତାନା ଓ  ପରଗତ ସିଂହ। ଦୁଇ ଦିନ ତଳେ ଏମାନେ ପଞ୍ଜାବ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ୨ ନେତା ସିଦ୍ଧୁଙ୍କୁ ସମର୍ଥନ ଜଣାଇ ମନ୍ତ୍ରୀ ପଦ ଛାଡ଼ିଛନ୍ତି।

ଏହାବାଦ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗିନ୍ଦର ଧିଙ୍ଗରା ମଧ୍ୟ ପଦ ଛାଡ଼ିଛନ୍ତି। ତାଙ୍କୁ ଦଳ ପକ୍ଷରୁ ସେପ୍ଟେମ୍ବର ୨୧ରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ହେଲେ ଆଜି ସେ ପଦ ଛାଡ଼ିଛନ୍ତି।

ରେଜିଆ ଓ ପରଗତ ସିଂହ ହଠାତ୍‌ ଇସ୍ତଫା ଦେବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ଜରୁରୀ କାଳୀନ ମନ୍ତ୍ରୀ ପରିଷଦ ବୈଠକ ବସିଛି। ଆଗାମୀ ରଣନୀତି ସମ୍ପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯିବ।

ରେଜିଆ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ସିଦ୍ଧୁ ସାହେବ ନୀତି ଓ ଆଦର୍ଶରେ କାମ କରୁଥିବା ବ୍ୟକ୍ତି। ସେ ପଞ୍ଜାବ ଓ ପଞ୍ଜାବବାସୀଙ୍କ ପାଇଁ ଲଢ଼େଇ କରୁଥିଲେ। ମୁଁ ସବୁବେଳେ ତାଙ୍କ ସହ ରହିଛି। ତାଙ୍କୁ ସମର୍ଥନ ଜଣାଇ ଆଜି ମୁଁ ମନ୍ତ୍ରୀ ପଦ ଛାଡ଼ୁଛି।”

ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ “ମୁଁ ମନ୍ତ୍ରୀ ପଦ ଛାଡ଼ୁଥିଲେ ମଧ୍ୟ ଦଳ ପାଇଁ ସାଧାରଣ କର୍ମୀ ଭାବେ କାମ କରିବି। ପଞ୍ଜାବର ସ୍ୱାର୍ଥ ପାଇଁ ପୂର୍ବଭଳି ଲୋକଙ୍କ ସେବା କରିବି।”

ସୂଚନାଯୋଗ୍ୟ, ୭୨ ଦିନ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖିଆ ପଦ ଛାଡ଼ିଥିଲେ ମଧ୍ୟ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି।

Related story