ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର

ନୂଆଦିଲ୍ଲୀ: ସର୍ତ୍ତମୂଳକ ଭାବେ ଦିଲ୍ଲୀ ଓ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ରେସିଡେଣ୍ଟ ଡାକ୍ତରମାନେ ଆଜି ଏହାକୁ ପ୍ରତ୍ୟାହାର କରିଛନ୍ତି। ଆନ୍ଦୋଳନକୁ ପ୍ରତ୍ୟାହାର କରି ସେମାନେ ସରକାରୀ ହସ୍ପିଟାଲକୁ କାମ କରିବାକୁ ଫେରିଛନ୍ତି। ସର୍ତ୍ତମୂଳକ ଭାବେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରାଯାଉଥିବା ଫେଡରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ(ଫୋରଡା) ଘୋଷଣା କରିଛି। ଫୋରଡାର ପ୍ରତିନିଧି କହିଛନ୍ତି, ବର୍ତ୍ତମାନ ଦୁଇଟି ଦାବି ପୂରଣ ହୋଇଛି। ଏବେ ଆମେ ସମସ୍ତେ ସୁପ୍ରିମକୋର୍ଟ ଜାନୁଆରୀ ୬ରେ ଦେବାକୁ ଥିବା ରାୟକୁ […]

NEET

Hemant Lenka
  • Published: Friday, 31 December 2021
  • , Updated: 31 December 2021, 04:52 PM IST

ନୂଆଦିଲ୍ଲୀ: ସର୍ତ୍ତମୂଳକ ଭାବେ ଦିଲ୍ଲୀ ଓ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ରେସିଡେଣ୍ଟ ଡାକ୍ତରମାନେ ଆଜି ଏହାକୁ ପ୍ରତ୍ୟାହାର କରିଛନ୍ତି। ଆନ୍ଦୋଳନକୁ ପ୍ରତ୍ୟାହାର କରି ସେମାନେ ସରକାରୀ ହସ୍ପିଟାଲକୁ କାମ କରିବାକୁ ଫେରିଛନ୍ତି। ସର୍ତ୍ତମୂଳକ ଭାବେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରାଯାଉଥିବା ଫେଡରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ(ଫୋରଡା) ଘୋଷଣା କରିଛି।

ଫୋରଡାର ପ୍ରତିନିଧି କହିଛନ୍ତି, ବର୍ତ୍ତମାନ ଦୁଇଟି ଦାବି ପୂରଣ ହୋଇଛି। ଏବେ ଆମେ ସମସ୍ତେ ସୁପ୍ରିମକୋର୍ଟ ଜାନୁଆରୀ ୬ରେ ଦେବାକୁ ଥିବା ରାୟକୁ ଅପେକ୍ଷା କରିଛୁ। ତେଣୁ ସେ ଯାଏ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଉଛି।

ନିଟ୍‌ ପିଜି ୨୦୨୧ର କାଉନସେଲିଂ ଓ ତୁରନ୍ତ ଆଡମିଶନ ଦାବିରେ ଫୋରଡା ଆନ୍ଦୋଳନ ଡାକରା ଦେଇଥିଲା। ସାଧାରଣତଃ ପିଜି କୋର୍ସ ପାଇଁ ଏପ୍ରିଲ-ମେ’ରେ ଆଡମିଶନ ହୋଇଥାଏ। କିନ୍ତୁ କରୋନାର ଦ୍ୱିତୀୟ ୱେଭ ଯୋଗୁ ପରୀକ୍ଷା ଓ ରେଜଲ୍ଟ ପ୍ରକାଶରେ ବିଳମ୍ବିତ ହୋଇଥିଲା। ଏଥିସହ କେନ୍ଦ୍ର ସରକାର ନିଟ୍‌ ପିଜି ଆଡମିଶନରେ ଆର୍ଥିକ ପଛୁଆ ବର୍ଗ ପାଇଁ କୋଟା ବ୍ୟବସ୍ଥା କରିଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବାକୁ ଆଡମିଶନ ପ୍ରକ୍ରିୟା ସ୍ଥଗିତ ରହିଛି।

ଆଡମିଶନରେ ବିଳମ୍ବ ହେଉଥିବାରୁ ରେସିଡେଣ୍ଟ ଡାକ୍ତରମାନେ ଦୁଇଟି ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୭ ଓ ଡିସେମ୍ବର ୬ରେ ଆନ୍ଦୋଳନ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଡିସେମ୍ବର ୧୭ ଓ ଡିସେମ୍ବର ୩୧ରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରେସିଡେଣ୍ଟ ଡାକ୍ତରମାନେ ଓପିଡି ଓ ଜରୁରୀ ସେବାରୁ ନିଜକୁ ଦୂରେଇ ରଖିଥିଲେ।

ଆନ୍ଦୋଳନ ବଢ଼ୁଥିବାରୁ ଚଳିତ ସପ୍ତାହରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଫୋରଡା ଓ ଆରଡିଏ ପ୍ରତିନିଧିଙ୍କୁ ଭେଟିଥିଲେ। ଏହି ସମୟରେ କେନ୍ଦ୍ର ସରକାର ଯଥାଶୀଘ୍ର ଆଡମିଶନ ଆରମ୍ଭ କରିବାକୁ ଜାନୁଆରୀ ୬ ସୁପ୍ରିମକୋର୍ଟ ଶୁଣାଣି ବେଳେ ମତ ରଖିବେ ବୋଲି କହିଥିଲେ।

ଡିସେମ୍ବର ୨୭ ଆନ୍ଦୋଳନ ବେଳେ ଡାକ୍ତରମାନେ ସୁପ୍ରିମକୋର୍ଟ ଯାଏ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ଉଦ୍ୟମ କରିଥିଲେ। ହେଲେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ଅଧାରେ ଅଟକାଇଥିଲା। ପୁଲିସ୍‌ ଡାକ୍ତରମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ। ତେବେ ଫୋରଡା ପକ୍ଷରୁ ଦିଲ୍ଲୀ ପୁଲିସକୁ କ୍ଷମା ମାଗିବା ପାଇଁ ଦାବି କରାଯାଇଥିଲା। ଗୁରୁବାର ଫୋରଡା ଓ ଆରଡିଏ ପ୍ରତିନିଧି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏହାପରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଛି।

ଫୋରଡା କହିଛି ଯେ ବିକ୍ଷୋଭର ୧୫ତମ ଦିନରେ ଏହାକୁ ପ୍ରତ୍ୟାହାର କରାଯାଉଛି। ଆଜି ଦିନ ୧୨ଟାରୁ ଡାକ୍ତରମାନେ ନିଜ ନିଜ କାମରେ ଯୋଗଦେବେ। ତେବେ ଆନ୍ଦୋଳନକୁ ସର୍ତ୍ତମୂଳକ ଭାବେ ପ୍ରତ୍ୟାହାର କରାଯାଉଛି। ଜାନୁଆରୀ ୬ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଯଦି ନିଟ୍‌ ପିଜି କାଉନସେଲିଂ ପାଇଁ ତାରିଖ ଘୋଷଣା କରା ନଯିବ, ତା’ହେଲେ ରେସିଡେଣ୍ଟ ଡାକ୍ତରମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ।

Related story