ମଣିଷ ମାରିବା ଘଟଣାରେ ଥାନାରେ ଅଟକ ରହିଲା ଗଞ୍ଜା

ହାଇଦ୍ରାବାଦ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଗୋଟିଏ ଗଞ୍ଜା କେମିତି ଜଣେ ମଣିଷଙ୍କୁ ହତ୍ୟା କରିପାରିଲା? ବାସ୍ତବରେ ଏମିତି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ୍‌ ଗୋଟିଏ ଗଞ୍ଜାକୁ ଥାନାରେ ଅଟକ ରଖିଛି। ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ଅନ୍ତର୍ଗତ ୟେଲ୍ଲାମ୍ମା ମନ୍ଦିର ନିକଟରେ ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଗଞ୍ଜା ଯୋଗୁ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପୁଲିସ୍‌ […]

Rosster

Hemant Lenka
  • Published: Saturday, 27 February 2021
  • , Updated: 27 February 2021, 02:30 PM IST

ହାଇଦ୍ରାବାଦ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଗୋଟିଏ ଗଞ୍ଜା କେମିତି ଜଣେ ମଣିଷଙ୍କୁ ହତ୍ୟା କରିପାରିଲା? ବାସ୍ତବରେ ଏମିତି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ୍‌ ଗୋଟିଏ ଗଞ୍ଜାକୁ ଥାନାରେ ଅଟକ ରଖିଛି। ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ଅନ୍ତର୍ଗତ ୟେଲ୍ଲାମ୍ମା ମନ୍ଦିର ନିକଟରେ ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଗଞ୍ଜା ଯୋଗୁ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପୁଲିସ୍‌ ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବ୍ୟକ୍ତି ଓ ଗଞ୍ଜାକୁ ଥାନାରେ ଅଟକ ରଖିଛି।

ଫେବୃଆରୀ ୨୨ରେ ପୂରା ଘଟଣା ଘଟିଥିଲା। ତେଲେଙ୍ଗାନାରେ ଗଞ୍ଜା ଲଢ଼େଇ ବେଆଇନ ହୋଇଥିଲେ ହେଁ କିଛି ଲୋକ ମନ୍ଦିର ନିକଟରେ ଏହାର ଆୟୋଜନ କରିଥିଲେ। ଲଢ଼େଇ ବେଳେ ଗଞ୍ଜାର ଗୋଡ଼ରେ ଧାରୁଆ ଓ ସ୍ୱତନ୍ତ୍ର ଛୁରୀ ଲାଗିଥାଏ। ତେବେ ୨୨ ତାରିଖର ଲଢ଼େଇ ବେଳେ ଗଞ୍ଜାଟି ଉଡ଼ି ଯାଇ ସେଠାରେ ଉପସ୍ଥିତ ଥିବା ସତୀଶ ନାମକ ଜଣେ ବ୍ୟକ୍ତିଙ୍କ ଦେହରେ ପିଟି ହୋଇଥିଲା।

ଛୁରୀଟି ସତୀଶଙ୍କ ଜଙ୍ଘ ସନ୍ଧି ଓ ତଳି ପେଟ ମଧ୍ୟରେ ଥିବା ଅଂଶରେ ଏତେ ଗଭୀର ଭାବେ ଆଘାତ ଦେଇଥିଲା ଯେ ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସତୀଶ ହିଁ ଗଞ୍ଜାଟିକୁ ଲଢ଼େଇ କରିବା ପାଇଁ ଲୋଥୁନୁର ଗାଁର ମନ୍ଦିର ନିକଟକୁ ଆଣିଥିଲେ।

ଘଟଣା ସମ୍ପର୍କରେ ପୁଲିସ୍‌ ଜାଣିବା ପରେ ଗଞ୍ଜା ଓ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବ୍ୟକ୍ତିଙ୍କୁ ଗୋଲ୍ଲାପଲ୍ଲି ଥାନାକୁ ଆଣିଥିଲା। ଏଠାରେ ବ୍ୟକ୍ତି ସହ ଗଞ୍ଜାକୁ ଅଟକ ରଖାଯାଇଛି। ବ୍ୟକ୍ତି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲେ ହେଁ ଗଞ୍ଜାଟି ଥାନାରେ ରହିଛି। ତାଙ୍କୁ ପୁଲିସ୍‌ ପକ୍ଷରୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି।

ପୁଲିସ୍‌ ଏବେ ଗଞ୍ଜାଟିକୁ କୋର୍ଟରେ ହାଜର କରିବ। ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ପଦକ୍ଷେପ ନିଆଯିବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି। ସେହିପରି କିଛି ରିପୋର୍ଟରେ ପୁଲିସ୍‌ ଗଞ୍ଜାକୁ ଗିରଫ କରିଥିବା କୁହଯାଇଥିଲା। ହେଲେ ପୁଲିସ୍‌ କେବଳ ଗଞ୍ଜାକୁ ଅଟକ ରଖିଥିବା ଅଧିକାରୀ ଜଣଙ୍କ ସ୍ପଷ୍ଟ କରିଛନ୍ତି।

Related story