ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ବ୍ୟବହାର ହେଉଥିବା ଟିକାର ଟ୍ରାଏଲ ତଥ୍ୟ ସାର୍ବଜନୀନ କରିବା ପାଇଁ ହୋଇଥିବା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏହା ଉପରେ ଜବାବ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ନୋଟିସ କରିଛନ୍ତି।
ଜଷ୍ଟିସ ନାଗେଶ୍ୱର ରାଓ ଜଷ୍ଟିସ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଆବେଦନ ଉପରେ ଜବାବ ଦେବାକୁ ସମସ୍ତଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି। ଶୁଣାଣି ବେଳେ ଟିକା ନେବା ପାଇଁ ଦେଶର କିଛି ଲୋକଙ୍କ ପାଖରେ ଦେଖାଯାଉଥିବା ଅନିଚ୍ଛା ସମସ୍ୟା କଥା ଉଠାଇଥିଲେ। ଏଥିସହ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଏପରି ଆବେଦନ ଲୋକଙ୍କ ମନରେ ଟିକାର ଉପକାରିତାକୁ ନେଇ ଆହୁରି ସନ୍ଦେହ ସୃଷ୍ଟି କରିବ ନାହିଁ କି ବୋଲି ପ୍ରଶ୍ନ କରିଥିଲେ।
ଖଣ୍ଡପୀଠ କହିଛନ୍ତି ଯେ “ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକ ଟିକାର ଡୋଜ ନେଇ ସାରିଲେଣି। କ’ଣ ଆପଣ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ଚାହୁଁଛନ୍ତି? ଦେଶରେ ଟିକା ନେବାକୁ ଏବେ ବି ଲୋକ ପଛଘୁଞ୍ଚା ଦେଉଛନ୍ତି। ଆମେ ସମସ୍ତେ ଟିକା ପାଇଁ ଇଚ୍ଛା ପ୍ରକାଶ କରୁଥିବା ମାନସିକତା ବିରୋଧରେ ଲଢ଼େଇ କରୁଛେ।
ଆପଣ ଭାବୁ ନାହାନ୍ତି କି ଏଭଳି ଆବେଦନ ଲୋକଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିବ? ଆମେ ଆବେଦନକୁ ଗ୍ରହଣ କରୁଛୁ ବୋଲି ଏହାର ଅର୍ଥ ନୁହେଁ ଯେ କୋର୍ଟ ଟିକା ପ୍ରତି ଥିବା ଅନିଚ୍ଛାକୁ ସମର୍ଥନ କରୁଛନ୍ତି।”
ଏହାର ଜବାବରେ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଟିକାକରଣ ବନ୍ଦ କରିବା ପାଇଁ କିମ୍ବା ଟିକାକୁ ବିରୋଧ କରି ଏପରି ଆବେଦନ କରାଯାଇ ନାହିଁ। କେବଳ ଟିକାକରଣରେ ଅଧିକ ସ୍ୱଚ୍ଛତା ଓ ଟିକାକୁ ନେଇ ସୃଷ୍ଟି ହେଉଥିବା ସନ୍ଦେହକୁ ସଂପୂର୍ଣ୍ଣ ଭାବେ ଦୂର କରିବା ପାଇଁ ଏହି ଆବେଦନ ହୋଇଛି ବୋଲି ସେ କହିଛନ୍ତି।
ଏହାପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଓ ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ଟ୍ରାଏଲ ରିପୋର୍ଟର ତଥ୍ୟ ସାର୍ବଜନୀନ କରାଯିବା ଉଚିତ କି ନୁହେଁ, ତା’ର ଜବାବ ଦାଖଲ କରିବାକୁ ନୋଟିସ କରିଛନ୍ତି। ଜବାବ ମିଳିବା ପରେ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।