କୋଭିଡ ସହାୟତା ପ୍ରଦାନରେ ବିଳମ୍ବ, କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ପ୍ରସ୍ତୁତ କରୁନଥିବାରୁ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଇଡଲାଇନ ପ୍ରସ୍ତୁତ ହେବା ବେଳକୁ କରୋନାର ତୃତୀୟ ୱେଭ ଆସି ଚାଲି ଯାଇଥିବ ବୋଲି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, “ଆପଣ ସହାୟତା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେବା ବେଳକୁ ଦେଶରେ ତୃତୀୟ ୱେଭ […]

SC

Hemant Lenka
  • Published: Friday, 03 September 2021
  • , Updated: 03 September 2021, 04:26 PM IST

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ପ୍ରସ୍ତୁତ କରୁନଥିବାରୁ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଇଡଲାଇନ ପ୍ରସ୍ତୁତ ହେବା ବେଳକୁ କରୋନାର ତୃତୀୟ ୱେଭ ଆସି ଚାଲି ଯାଇଥିବ ବୋଲି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ଆପଣ ସହାୟତା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେବା ବେଳକୁ ଦେଶରେ ତୃତୀୟ ୱେଭ ମଧ୍ୟ ଶେଷ ହୋଇଯାଇଥିବ। ମୃତ୍ୟୁ ପ୍ରମାଣ ପତ୍ର, ସହାୟତା ଇତ୍ୟାଦି ପ୍ରଦାନ କରିବା ପାଇଁ ବହୁ ଦିନ ତଳେ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି କୌଣସି ପଦକ୍ଷେପ ନିଆଯାଉନାହିଁ।

ସୁପ୍ରିମକୋର୍ଟ ଜୁନ୍‌ ୩୦ରେ କୋଭିଡ ସହାୟତା ପ୍ରଦାନ ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ଉତ୍ତର କେନ୍ଦ୍ର ସରକାର ସେପ୍ଟେମ୍ବର ୧୧ ସୁଦ୍ଧା ରଖିବେ। ଆମେ ବହୁଦିନ ତଳେ ଅର୍ଡର ପାସ୍‌ କରିଥିଲୁ। ଏଥିସହ ଥରେ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସମୟସୀମା ବୃଦ୍ଧି କରିଥିଲୁ। ତଥାପି ଗାଇଡଲାଇନ ପ୍ରସ୍ତୁତ ହୋଇପାରୁନି।”

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ବୁଝାଇବା ପାଇଁ ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଜାରି ରହିଛି। ଆମର ଆଶା ଖୁବଶୀଘ୍ର ସବୁ କିଛି ଚୂଡ଼ାନ୍ତ ହେବ ବୋଲି କହିଥିଲେ। ଏଥିସହ ଶ୍ରୀ ମେହେଟା ସତ୍ୟପାଠ ଦାଖଲ ପାଇଁ ଅତିରିକ୍ତ ସମୟ ମାଗିଛନ୍ତି।

ଏହା ଶୁଣିବା ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଜରିଆରେ କୋର୍ଟ ନିର୍ଦ୍ଦେଶ ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ତଥ୍ୟ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୩୦ରେ ସୁପ୍ରିମକୋର୍ଟ କୋଭିଡରେ ମୃତ ଲୋକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ତେବେ କେତେ ଟଙ୍କାର କ୍ଷତିପୂରଣ ମିଳିବ, ତା’ର ନିଷ୍ପତ୍ତି କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ିଥିଲେ। ନିକଟରେ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗଙ୍କୁ କେନ୍ଦ୍ର ସରକାର ୪ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଦେବା ଦରକାର ବୋଲି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଜୁନ୍‌ ୩୦ରେ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story