ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଚାରରେ ରୁଷ-ୟୁକ୍ରେନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିକୁ ଟାଣିଥିଲେ। ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ଉଦାହରଣ ଦେଇ ବିଜେପି ପାଇଁ ଭୋଟ୍ ମାଗିଥିଲେ ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶକୁ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ବିଜେପିକୁ ଭୋଟ୍ ଦିଅନ୍ତୁ । ମୋଦି କହିଥିଲେ ଯେ, ଆପଣମାନେ ଏବେ ବିଶ୍ୱରେ କଣ ସବୁ ଘଟୁଛି ଜାଣିପାରୁଥିବେ। ଏମିତି ପରିସ୍ଥିତରେ ସମଗ୍ର ମାନବତା ପାଇଁ ଭାରତକୁ ଆହୁରି ମଜଭୁତ ହେବାକୁ ପଡ଼ିବ। ଆପଣଙ୍କ ପ୍ରତିଟି ଭୋଟ୍ ଦେଶକୁ ଅଧିକ ମଜଭୁତ୍ କରିବ।। ସେହିପରି ୫ ରାଜ୍ୟରେ ଚାଲୁଥିବା ବିଧାନ ସଭା ନିର୍ବାଚନରେ ବିଜେପି ବହୁମତ ପାଇବ ମୋଦି ଦୃଢ଼କ୍ତି ପ୍ରକାଶ କରିଥିଲେ। ଚଳିତ ନିର୍ବାଚନରେ ବିଜେପି ବଡ଼ ସ୍କୋର କରିବ ବୋଲି ସେ ଦାବିର ସହ କହିଥିଲେ।
ଆଜିର ନିର୍ବାଚନ ରାଲିରେ ଭ୍ରଷ୍ଟାଚାର, ଦୁର୍ନୀତି ପ୍ରସଙ୍ଗକୁ ଟାଣି ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ମୋଦି। ‘ଗରିବ ହଟାଉ’ ନାମରେ ସେମାନେ ଦେଶକୁ ଲୁଟି ଚାଲିଛନ୍ତି । ସେହିପରି ଅହମ୍ମଦାବାଦ ବ୍ଲାଷ୍ଟ କେସ୍ରେ ବିରୋଧିଙ୍କ ନିରବତାକୁ ନେଇ ମୋଦି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଦେଶ ଏବେ ହୃଦୟଙ୍ଗମ କରିପାରୁଛି କେଉଁମାନେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଆସନ୍ତାକାଲି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ହେବ । ଏହା ପରେ ଆଉ ୩ ଟି ପର୍ଯ୍ୟାୟ ଭୋଟ୍ ହେବ। ମୋଟ୍ ୭ଟି ପର୍ଯ୍ୟାୟ ନିର୍ବାଚନ ପରେ ମାର୍ଚ୍ଚ ୧୦ରେ ଗଣତି ହେବ।
ସୂଚନା ଅନୁଯାୟୀ, ୟୁକ୍ରେନ୍-ରୁଷ୍ ସୀମାରେ ଅଶାନ୍ତ ସ୍ଥିତି ଲାଗି ରହିଛି। କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ରୁଷ ଜାରି ରଖିଛି। ୟୁକ୍ରେନ୍ ଉପରେ ରୁଷ୍ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି। ୟୁକ୍ରେନ୍ ପାର୍ଶ୍ୱରୁ ସୀମା ନିକଟରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିବା ରୁଷ୍ ଦାବି କରିଛି। ୟୁକ୍ରେନ୍ ପାର୍ଶ୍ୱରୁ କିଛି ଅନୁପ୍ରବେଶକାରୀ ରୁଷ୍ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିବାବେଳେ ରୁଷ୍ ସେନା ଏହାର ଜୋରଦାର ବିରୋଧ କରି ଏହି ଉଦ୍ୟମକୁ ପଣ୍ଡ କରିଛନ୍ତି ବୋଲି ଦାବି ହୋଇଛି। ରୁଷ୍ ସେନା ୟୁକ୍ରେନ୍ର ୫ ଷଡ଼ଯନ୍ତ୍ରକାରୀଙ୍କୁ ହତ୍ୟା କରିଛି । ୟୁକ୍ରେନ୍ର କିଛି ଅସ୍ତ୍ର ବୋଝେଇ ଗାଡ଼ିକୁ ଧ୍ୱଂସ କରାଯାଇଛି ବୋଲି ରୁଷ୍ ସେନା କହିଛି । କିନ୍ତୁ ୟୁକ୍ରେନ୍ ଏପରି ଦାବିକୁ ଖଣ୍ଡନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।