କଟକଣା କୋହଳ ସହ ଆଉ ଦୁଇ ସପ୍ତାହ ପାଇଁ ବଢ଼ିଲା ଲକଡାଉନ

ଚେନ୍ନାଇ: ମହାମାରୀ କରୋନା ଜାରି ଲକଡାଉନକୁ ସେପ୍ଟେମ୍ବର ୬ ଯାଏ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର। ଲକଡାଉନ ବୃଦ୍ଧି ହୋଇଥିଲେ ହେଁ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ନୂଆ ଗାଇଡଲାଇନରେ ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟରେ ୯ମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ଆରମ୍ଭ ହେବ। ରୋଟେସନାଲ ପଲିସି ଓ ଏସ୍‌ଓପିକୁ ସ୍କୁଲ ଖୋଲିବା ବେଳେ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ପ୍ରଥମରୁ ୮ମ ଶ୍ରେଣୀ […]

LockDown

Hemant Lenka
  • Published: Saturday, 21 August 2021
  • , Updated: 21 August 2021, 09:21 PM IST

ଚେନ୍ନାଇ: ମହାମାରୀ କରୋନା ଜାରି ଲକଡାଉନକୁ ସେପ୍ଟେମ୍ବର ୬ ଯାଏ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର। ଲକଡାଉନ ବୃଦ୍ଧି ହୋଇଥିଲେ ହେଁ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ନୂଆ ଗାଇଡଲାଇନରେ ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି।

ସେପ୍ଟେମ୍ବର ୧ରୁ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟରେ ୯ମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ଆରମ୍ଭ ହେବ। ରୋଟେସନାଲ ପଲିସି ଓ ଏସ୍‌ଓପିକୁ ସ୍କୁଲ ଖୋଲିବା ବେଳେ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ପ୍ରଥମରୁ ୮ମ ଶ୍ରେଣୀ ଯାଏ କ୍ଲାସ କେବେ ଆରମ୍ଭ ହେବ, ତା’ର ନିଷ୍ପତ୍ତି ସେପ୍ଟେମ୍ବର ୧୫ ପରେ ନିଆଯିବ ବୋଲି ସରକାର କହିଛନ୍ତି।

ଅଗଷ୍ଟ ୬ରେ ରାଜ୍ୟ ସରକାର ଅଗଷ୍ଟ ୨୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଥିଲେ। ସୋମବାର ଭୋରରୁ ଏହି ଅବଧି ଶେଷ ହେଉଥିବାରୁ ଆଜି ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ନୂଆ ଗାଇଡଲାଇନରେ କୁହାଯାଇଛି ଯେ ସେପ୍ଟେମ୍ବର ୧ରୁ ଡିପ୍ଲୋମା ଓ ପଲିଟେକନିକ କ୍ଲାସ ମଧ୍ୟ ଆରମ୍ଭ ହେବ। ଏଠାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଅଗଷ୍ଟ ୧୬ରୁ ରାଜ୍ୟରେ ଥିବା ସମସ୍ତ ମେଡିକାଲ ଓ ନର୍ସିଂ କଲେଜ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଥିଲେ।

ସୋମବାର ଠାରୁ ରାଜ୍ୟରେ ଥିବା ସମସ୍ତ ସିନେମା ହଲ ଓ ଥିଏଟର ୫୦% ଦର୍ଶକଙ୍କୁ ନେଇ ଖୋଲିବ। ଯେଉଁ ସବୁ ସିନେମା ହଲ୍‌ର ସବୁ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି, ସେମାନଙ୍କୁ ହିଁ ସେବା ଯୋଗାଇବାକୁ ଅନୁମତି ମିଳିବ। ସମୁଦ୍ର କୂଳକୁ ଲୋକମାନେ ଯାଇପାରିବେ। ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଏଠାରେ ବ୍ୟବସାୟ କରୁଥିବା ଲୋକମାନେ ଯେମିତି ଦୁଇଟି ଯାକ ଟିକା ନେଇ ସାରିଥିବେ, ତା’ର ବ୍ୟବସ୍ଥା କରିବାକୁ କହିଛନ୍ତି।

ଦୋକାନ ବଜାର ରାତି ୧୦ଟା ଯାଏ ଖୋଲା ରହିବ ଓ ଆଇଟି କମ୍ପାନୀ ଗୁଡ଼ିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ରାଜ୍ୟରେ ଥିବା ସୁଇମିଂ ପୁଲ ଗୁଡ଼ିକ ଅଭ୍ୟାସ ପାଇଁ ଖୋଲିବ। ଏଠାକୁ ଆସୁଥିବା ୧୮ ବର୍ଷରୁ ଅଧିକ ବୟସ୍କ କୋଚ୍‌ ଓ ଖେଳାଳିମାନେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଜରୁରୀ।

ସମସ୍ତ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ଶୁକ୍ରବାର, ଶନିବାର ଓ ରବିବାର ବନ୍ଦ ରହିବ। ରାଜ୍ୟ ସରକାର କଟକଣା କୋହଳ କରିଥିଲେ ହେଁ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ରଖିବାକୁ ଅନୁରୋଧ କରିଛନ୍ତି।

Related story