ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ଉଭୟଙ୍କ ମଧ୍ୟରେ ସଂଘର୍ଷ ଆଜି ତୃତୀୟ ଦିନରେ ପହଞ୍ଚି। ଆକ୍ରମଣକାରୀ ରୁଷ ସମସ୍ତ ଶକ୍ତି ଖଟାଇ ୟୁକ୍ରେନ୍ ରାଜଧାନୀ କିଭ୍କୁ ଦଖଲ କରିବା ସ୍ଥିତିରେ ପହଞ୍ଚି ଗଲାଣି। ସେପଟେ ରୁଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍ ରାଷ୍ଟ୍ରପତି ବିଚଳିତ ନୁହନ୍ତି । ଯୁଦ୍ଧରେ ଭୀଷଣ ଧ୍ୱଂସ-ବିଧ୍ୱଂଶ ସତ୍ତ୍ୱେ ଆକ୍ରମଣକାରୀ ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ପାଇଁ ସାହାସ ଜୁଟାଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।
ସେ କହିଛନ୍ତି ଯେ, ବନ୍ଧୁ ରାଷ୍ଟ୍ରଠାରୁ ଅସ୍ତ୍ରଶସ୍ତ୍ର ଆସୁଛି। ଅନ୍ୟପକ୍ଷରେ ଯୁଦ୍ଧ ବିରୋଧୀ ମେଣ୍ଟ ସମ୍ପର୍କ ମଧ୍ୟ ଜାରି ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଆଜି ସକାଳେ ତାଙ୍କ ସହ ଆଲୋଚନା କରିଛନ୍ତି। କଥାବାର୍ତ୍ତା ବେଳେ ଏକ କୂଟନୈତିକ ସମ୍ପର୍କର ସମ୍ଭାବନା ସୃଷ୍ଟି ହୋଇଛି। ଆମ ବନ୍ଧୁ ରାଷ୍ଟ୍ରଠାରୁ ଯୁଦ୍ଧାସ୍ତ୍ର ସହ ଅନ୍ୟ ସାମଗ୍ରୀ ୟୁକ୍ରେନ୍କୁ ଆସୁଛି। ସେହିପରି ଯୁଦ୍ଧ ବିରୋଧୀ ମେଣ୍ଟ ନେଇ ଆଶା ଉଜ୍ଜଳ ହୋଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ।
ଅନ୍ୟ ପଟେ ଜାତି ସଂଘ ନିରାପତ୍ତା ପରିଷଦରେ ଆଗତ ଯୁଦ୍ଧ ପ୍ରସ୍ତାବ ବିରୋଧରେ ଅଧିକାଂଶ ରାଷ୍ଟ୍ର ଭୋଟ୍ ଦେଇଛନ୍ତି। ତଥାପି ରୁଷ ଆକ୍ରମଣ ଜାରି ରଖିଛି। ପରିଷଦରେ ଯୁଦ୍ଧ ବିପକ୍ଷରେ ୧୫ଟି ରାଷ୍ଟ୍ର ଭୋଟ ଦେଇଛନ୍ତି । ତେବେ ଏହି ଭୋଟଦାନରୁ ଚୀନ, ଭାରତ ଏବଂ ୟୁଏଇ ଅନୁପସ୍ଥିତ ରହିଛନ୍ତି। ତେବେ ଯୁଦ୍ଧ ବିରୋଧରେ ଅଧିକାଂଶ ମତ ଆସିଥିଲେ ମଧ୍ୟ ରୁଷ ସ୍ଥାୟୀ ସଦସ୍ୟ ଥିବା ସହ ପାଖରେ ଭିଟୋ ପାୱାର ଅଛି। ତେଣୁ ସେ ଯୁଦ୍ଧରୁ ନିବୃତ୍ତ ହୋଇ ନାହିଁ। କିଭ୍କୁ ନିଜ ଦଖଲକୁ ନେଇଯିବା ପାଇଁ ମସ୍କୋ ଯୋଜନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି କହିବା ପରେ ଲଢ଼େଇ ଆହୁରୀ ତୀବ୍ର ହୋଇଛି । ରୁଷ ସେନାଙ୍କୁ ୟୁକ୍ରେନ୍ ସେନା କଡ଼ା ମୁକାବିଲ କରୁଛନ୍ତି।
ରୁଷ ଆକ୍ରମଣରେ ୟୁକ୍ରେନ୍ର ୧୯୮ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ନାଟୋ ମିତ୍ର ରାଷ୍ଟ୍ରମାନେ ଜାରି କରିଥିବା କଟକଣା ଯୋଗୁଁ ରୁଷ୍ ଫ୍ରେଞ୍ଚ୍ ଗିଆନାରୁ କ୍ଷେପଣାସ୍ତ୍ର ନିକ୍ଷେପ ବାତିଲ କରିଛି। ଟୁଇଟର୍ରେ ଗୋଟାଏ ନୂଆ ଭିଡିଓ ଜାରି କରି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ଆତ୍ମ ସମର୍ପଣ ପାଇଁ ମୁଁ ସେନାକୁ କହିଛି ଏବଂ ମୋତେ ଦେଶରୁ ସ୍ଥାନାନ୍ତର କରାଯିବ ବୋଲି ନେଟ୍ୱାର୍କରେ ଗୁଜବ ଉଠିଛି। କିନ୍ତୁ, ମୁଁ ଏଇଠି ଅଛି। ଆମେ ଅସ୍ତ୍ରତ୍ୟାଗ କରିବୁ ନାହିଁ। ଦେଶ ପାଇଁ ଲଢ଼ିବୁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।