ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଆଇନାନୁଯାୟୀ ଖଲାସ କରାଯାଇଛି- କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ସରକାର ୧୯୯୨ ମସିହାର ପୁରୁଣା କ୍ଷମା ନୀତି ବଳରେ ଛାଡ଼ିବାକୁ ଚାହୁଁଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। ଏହାକୁ କେନ୍ଦ୍ର ସରକାର ମାତ୍ର ୨ ସପ୍ତାହ ମଧ୍ୟରେ ଅନୁମତି ଦେଇଥିଲେ। ଏ ସମ୍ପର୍କରେ ଗୁଜରାଟ ସରକାର ନିଜେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। […]

Bilkis-bano

  • Published: Tuesday, 18 October 2022
  • , Updated: 18 October 2022, 05:30 PM IST

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ସରକାର ୧୯୯୨ ମସିହାର ପୁରୁଣା କ୍ଷମା ନୀତି ବଳରେ ଛାଡ଼ିବାକୁ ଚାହୁଁଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ।

ଏହାକୁ କେନ୍ଦ୍ର ସରକାର ମାତ୍ର ୨ ସପ୍ତାହ ମଧ୍ୟରେ ଅନୁମତି ଦେଇଥିଲେ। ଏ ସମ୍ପର୍କରେ ଗୁଜରାଟ ସରକାର ନିଜେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ୧୧ ଦୁଷ୍କର୍ମକାରୀଙ୍କ ଖଲାସ କରାଯିବା ଘଟଣାର ଓକିଲାତି କରିଛନ୍ତି। ଯାହା ବି ହୋଇଛି ଆଇନ ଅନୁସାରେ ହୋଇଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ର କାହିଁକି ବିଲକିସ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ କ୍ଷମାନୀତି ବଳରେ ଛାଡ଼ିବାକୁ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଏହା ଏକ ଆଇନଗତ ପ୍ରକ୍ରିୟା। ଏହି ଘଟଣାରେ କିଛି ଭୁଲ ଥିବା ମୁଁ ଜାଣିପାରୁନି। ଦୋଷୀମାନେ ବେଶ କିଛି ବର୍ଷ ଜେଲରେ କାଟିଛନ୍ତି। ଦୀର୍ଘ ବର୍ଷ ଜେଲରେ ରହୁଥିବା ଦୋଷୀଙ୍କୁ ଖଲାସ କରିବାର ଆଇନ ରହିଛି। ସେମାନଙ୍କ ବ୍ୟବହାର ଓ ଅନ୍ୟ କଥାକୁ ମଧ୍ୟ ବିଚାରକୁ ନିଆଯାଇ ଥାଏ। ତେଣୁ ଆଇନ ଅନୁସାରେ ଏହି ଘଟଣାରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।”

ନିକଟରେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲ ମଧ୍ୟ ପରୋକ୍ଷରେ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ଘଟଣାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଅଗଷ୍ଟ ୧୫ ଓ ଅକ୍ଟୋବର ୨ ଭଳି ଦିନମାନଙ୍କରେ କିଛି କଏଦୀଙ୍କୁ ଜେଲରୁ ଖଲାସ କରିବାର ଆଇନ ରହିଛି। ତେବେ ଏହି ଘଟଣାକୁ ଜାଣିଶୁଣି ରାଜନୀତିକ ରଙ୍ଗ ଦିଆଯାଉଛି। ଏହି ମାମଲା ବିଶେଷ ବର୍ଗଙ୍କ ସହ ଜଡ଼ିତ ଥିବାରୁ କିଛି ଲୋକ ଏହାକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି।”

ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଜେଲରୁ ଖଲାସ କରାଯାଇଥିଲା। ଏହା ବିରୋଧରେ ଏକାଧିକ ପିଆଇଏଲ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହାର ଶୁଣାଣି ବେଳେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ନିଜର ପକ୍ଷ ରଖିଥିଲେ।

ସତ୍ୟପାଠରେ ଗୁଜରାଟ ସରକାର କହିଥିଲେ ଯେ ୧୧.୦୭.୨୦୨୨ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ଚିଠି ଜରିଆରେ ୧୧ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ। ଗୁଜରାଟ ସରକାର ଏନେଇ ଜୁନ ୨୮ରେ କେନ୍ଦ୍ର ପାଖକୁ ପ୍ରସ୍ତାବ ପଠାଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାତ୍ର ୨ ସପ୍ତାହ ମଧ୍ୟରେ ଗୋଟିଏ ଚିଠି ଦ୍ୱାରା ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ସହମତି ଦେଇଥିଲେ ବୋଲି ସତ୍ୟପାଠରେ କୁହାଯାଇଥିଲା।

ଗୁଜରାଟ ସରକାର ଗୋଟିଏ ପୁରୁଣା କ୍ଷମାନୀତି ବଳରେ ୧୧ ଜଣଙ୍କୁ ଖଲାସ କରିବାକୁ ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଖଲାସ କରିବା ପୂର୍ବରୁ ବିଲକିସ ବାନୋଙ୍କୁ ମଧ୍ୟ ଏ ବିଷୟରେ କିଛି ବି ଜଣାଇ ନଥିଲେ।

ଏହି ରିଲିଜ ବିରୋଧରେ ସିପିଏମର ସୁଭାଷିନ ଅଲୀ, ଟିଏମସି ସାଂସଦ ମହୁଆ ମୈତ୍ର ଓ ଆଉ ଜଣେ ମହିଳା ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ତେବେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ଆବେଦନକାରୀ ଦାଖଲ କରିଥିବା ପିଆଇଏଲ ଉପରେ ପ୍ରଶ୍ନ ଉଠାଇଥିଲେ। ସତ୍ୟପାଠରେ ସରକାର କହିଛନ୍ତି, କ୍ଷମାନୀତି ବିରୋଧରେ ଜନସ୍ୱାର୍ଥ ମାମଲା ଦାଖଲ କରିବା କ୍ଷମତା ଅଧିକାର ପରିସର ଭୁକ୍ତ ନୁହେଁ। ଏହା ଅଧିକାରର ଦୁର୍ବ୍ୟବହାର। ସମସ୍ତ ଦୋଷୀଙ୍କୁ ବୋର୍ଡରେ ସାମିଲ ସବୁ ସଦସ୍ୟଙ୍କ ମତାମତ ଆଧାରରେ ରିଲିଜ୍‌ କରାଯାଇଛି। ଏହି ସମୟରେ ଦଣ୍ଡ ପାଇବା ବେଳେ ଦୋଷୀଙ୍କ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇଥିଲା। ସେମାନେ ୧୪ ବର୍ଷ ହେଲା ଜେଲରେ ରହିଥିବାରୁ ସେମାନଙ୍କୁ ଖଲାସ କରିବାକୁ ବୋର୍ଡ ସୁପାରିସ କରିଥିଲା ବୋଲି ଗୁଜରାଟ ସରକାର ସତ୍ୟପାଠ ଜରିଆରେ କହିଥିଲେ।

Related story