ନୂଆଦିଲ୍ଲୀ: ବଙ୍କର ଭିତରେ ଥିବା ଭାରତୀୟ ଯୁବତୀଙ୍କ ଭିଡିଓ ଶେଆର କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଅନେକ ଭାରତୀୟ ଛାତ୍ରଛାତ୍ରୀ ପ୍ରବଳ ଯୁଦ୍ଧ ଜାରି ରହିଥିବା ସ୍ଥାନ ପୂର୍ବ ୟୁକ୍ରେନରେ ଫଶି ରହିଛନ୍ତି। ଏହି ଦୃଶ୍ୟ ଏବେ ତାଙ୍କୁ ବେଶ ବିଚଳିତ କରିଛି। ତେଣୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କୁ ସେ ଗୁହାରି କିରଛନ୍ତି।
ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ପ୍ରବଳ ଯୁଦ୍ଧ। ମିସାଇଲ, ରକେଟ୍ ସାଙ୍ଗକୁ ଚାଲିଛି ପ୍ରବଳ ଗୁଳିଗୋଳା ମାଡ। ଉଭୟ ପଟୁ ବର୍ଷୁଛି ମୃତ୍ୟୁ। ଏହାରି ଭିତରେ ଅନେକ ଲୋକ ଜୀବନ ବିକଳରେ ବଙ୍କରର ସାହାରା ନେଇଛନ୍ତି। ଶହ ଶହ ଲୋକେ ବୋମା ନିରୋଧୀ ଶେଲ୍ଟର ହୋମରେ ଲୁଚି ରହିଛନ୍ତି। ଏହି ୟୁକ୍ରେନବାସୀଙ୍କ ମଧ୍ୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ବଙ୍କର ଭିତରେ ଫଶିଛନ୍ତି। ସେଠାରେ ବଙ୍କର ଭିତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥିତି କିଭଳି ରହିଛି ତା’ର ଭିଡିଓକୁ ଟ୍ୱିଟ୍ କରି ଶେଆର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।
ଉକ୍ତ ଛାତ୍ରଛାତ୍ରୀଙ୍କ ଚିନ୍ତିତ ପରିବାର ସଦସ୍ୟଙ୍କ ସହ ମୁଁ ଛିଡା ହୋଇଛି। ତୁରନ୍ତ ଫଶି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ବ୍ୟବସ୍ଥା କରିବାକୁ ଭାରତ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ରାହୁଲ।
ଭାରତୀୟମାନେ ଏକ ବଙ୍କର ଭିତରେ ଲୁଚି ରହିଥିବା ଏକ ଭିଡିଓରେ କର୍ଣ୍ଣାଟକର ବେଙ୍ଗାଲୁରୁର ଦୁଇଜଣ ଛାତ୍ର ନିଜକୁ ରକ୍ଷା କରିବା ପାଇଁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ନିବେଦନ କରିଛନ୍ତି। ସେମାନେ ଭାରତୀୟ କର୍ତ୍ତୃପକ୍ଷଙ୍କଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ ବୋଲି ସେମାନେ ଦାବି କରିଛନ୍ତି। ଏହି ଭିଡିଓରେ ବେଙ୍ଗାଲୁରୁର ମେଘନା ନାମକ ଜଣେ ଛାତ୍ରୀ କହିଛନ୍ତି ଯେ ‘ଦେଶର ସମସ୍ତ ଭାଗରେ ଭାରତୀୟମାନେ ଖାଦ୍ୟ, ପାଣି ତଥା ବିନା ଉପଯୁକ୍ତ ଭେଣ୍ଟିଲେସନରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ବଙ୍କରରେ ଫସି ରହିଛନ୍ତି। ଆମକୁ ଉଦ୍ଧାର କରିବା ପାଇଁ କୌଣସି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇନାହିଁ। ଆମେ ଏହି ବଙ୍କରରେ ଅଛୁ, ଏହା ବାସ୍ତବରେ ଆମ ପାଇଁ ବେଶ୍ କଠିନ। ତେଣୁ ଶୀଘ୍ର ସହାୟତା ପଠାଇବା ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।’
ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଶନିବାର ସକାଳେ ମୁମ୍ବାଇରୁ ରୋମାନିଆର ବୁଖାରେଷ୍ଟ ସହରକୁ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିଛି। ଏଥିରେ ୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଭାରତକୁ ଫେରାଇ ଅଣାଯିବ। ଏହାପରେ ଗୋଟିଏ ବିମାନ ହଙ୍ଗେରୀରୁ ଦିଲ୍ଲୀ ଆସିବ। ଏଥିସହିତ ରୋମାନିଆରୁ ଏୟାର ଇଣ୍ଡିଆର ୨ଟି ବିମାନ ଦିଲ୍ଲୀକୁ ପହଞ୍ଚିବ। ଏହାପୂର୍ବରୁ ଶୁକ୍ରବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ପୋଲାଣ୍ଡ ଏବଂ ହଙ୍ଗେରୀ ଦେଇ ଫେରାଇ ନିଆଯାଉଛି।
https://twitter.com/RahulGandhi/status/1497417864155832320?s=20&t=bOsLbX5KTEhKOj929dDoXA