ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳରେ ଭୂମି ଦବିବାକୁ ନେଇ ଆତଙ୍କ ସୃଷ୍ଟି ହେବା ପରେ ଏ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏବେ ଖାଁ ଖାଁ ଦିଶିଲାଣି। ଗୋଟେପଟେ ଲୋକେ ନିଜ ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନ ଖୋଜୁଥିବା ବେଳେ ଆଉ ଗୋଟେ ପଟେ ନିଜ ଭିଟା ମାଟି ଛାଡି ଯିବାର କଷ୍ଟ ସହ୍ୟ କରିପାରୁ ନାହାନ୍ତି ଲୋକେ।
ଏଭଳି ସ୍ଥଳେ ପ୍ରଶାସନ ପକ୍ଷରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ସରିଲାଣି। ବିପଦପୂର୍ଣ୍ଣ ଅନୁମାନ କରାଯାଉଥିବା ଆହୁରି ଅନେକ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି।
ପ୍ରଶାସନ ଗତକାଲି କିଛି ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିବା ସହ କୌଣସି ଅଘଟଣ ଆଶଙ୍କାରେ NDRF ଓ SDRFକୁ ମୁତୟନ ରଖିଛି। ଏ ଅଞ୍ଚଳରେ କୌଣସି ମୂହୁର୍ତ୍ତରେ ବି ବଡ଼ ଅଘଟଣ ଘଟିବାର ଆଶଙ୍କା ଲାଗି ରହିଥିବାରୁ ଅହରହ ସ୍ଥିତି ଉପରେ ନଜର ରଖିଛନ୍ତି ଏନଡିଆରଏଫ୍ ସମେତ ଏସଡିଆରଏଫର ୧୫ଟି ଟିମ୍।
କୌଣସି ଆପତକାଳୀନ ସ୍ଥିତି ସୃଷ୍ଟି ହେଲେ, ତାକୁ କେମିତି ସାମ୍ନା କରାଯାଇ ପାରିବ, ସେଥିପାଇଁ ଏମାନେ ସଦା ପ୍ରସ୍ତୁତ ରହିଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେନା ଏବଂ ଆଇଟିବିପି ପ୍ରତିଷ୍ଠାନର ନିମ୍ନ ଅଂଶରେ ବି ଫାଟ ଦେଖାଦେଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଇତି ମଧ୍ୟରେ ବର୍ଡର ମ୍ୟାନେଜମେଣ୍ଟ ସଚିବଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ଟିମ୍ ଡେରାଡୁନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି।
କେତେ ଘର ପ୍ରଭାବିତ ହୋଇଛି ସେନେଇ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ସର୍ବେକ୍ଷଣ କରାଯାଉଛି । ଯୋଶୀମଠର ୩୦ ପ୍ରତିଶତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ସେହିପରି ବିଶେଷଜ୍ଞ କମିଟି ଏସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ପିଏମ୍ଓ ଅଫିସ୍ରେ ଦାଖଲ କରାଯିବ । ଯୋଶୀମଠକୁ ୩ ଭାଗରେ ଯଥା ‘ଡେଞ୍ଜର’, ‘ବଫର୍’ ଏବଂ ‘ ସମ୍ପୂର୍ଣ୍ଣ ସୁରକ୍ଷିତ’ ବିଭକ୍ତ କରାଯାଇଛି ।