ମୁମ୍ବାଇ: ମହାରାଷ୍ଟ୍ରମନ୍ତ୍ରୀ ତଥା ଏନ୍ସିପି ନେତା ନବାବ ମଲ୍ଲିକଙ୍କୁ ଇଡିର ଗିରଫଦାରୀକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଆଜି ଏହି ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପାୱାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍ରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଧରି ଆଲୋଚନା ହୋଇଛି।
ଏହି ଆଲୋଚନା ବେଳେ ଟିଏମସି ଶରଦପାୱାରଙ୍କ ଦଳ ଏନସିପିକୁ ନିଜର ସମର୍ଥନ ଜଣାଇଛି। ଗତ ବର୍ଷ ସମାନ ପରିସ୍ଥିତିର ସମ୍ମୁଖନୀ ହୋଇଥିଲା ମମତାଙ୍କ ନେତୃତ୍ତ୍ୱାଧୀନ ଦଳ ଟିଏମସି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଟିଏମସିର ଏକାଧିକ ନେତା ଓ ମନ୍ତ୍ରୀ ଟାର୍ଗେଟକୁ ଆସିଥିଲେ। ତେବେ ଆଲୋଚନା ବେଳେ ନିଜ ମନ୍ତ୍ରୀ ଗିରଫ ହେବା ବେଳେ କେମିତି ପରିସ୍ଥିତିକୁ ମୁକାବିଲା କଲେ ସେ ବିଷୟରେ ଜାଣିବାକୁ ଚାହିଁଥିଲେ ଶରଦ ପାୱାର। ସେ ସମୟରେ ଗିରଫ ମନ୍ତ୍ରୀଙ୍କୁ ମମତା ନିଲମ୍ବିତ କରି ନଥିଲେ।
ସୂଚନା ଅନୁଯାୟୀ, ନବାବ ମଲ୍ଲିକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଦୀର୍ଘ ଛଅ ଘଣ୍ଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ କରିଛି। ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ଅନୁସନ୍ଧାନ କରୁଛି । ଆଜି ସକାଳେ ଇଡି ସମନ ଜାରି କରି ୬୨ ବର୍ଷ ବୟସ୍କ ମନ୍ତ୍ରୀ ମଲ୍ଲିକଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇଥିଲା। ସେଠାରେ ଇଡିର ତଦନ୍ତକାରୀ ଅଧିକାରୀମାନେ ମନ୍ତ୍ରୀ ମଲ୍ଲିକଙ୍କୁ ଦୀର୍ଘ ୬ ଘଣ୍ଟା କାଳଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ ଗିରଫ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଇଡି ଏହି ମନି ଲଣ୍ଡରିଂ ମାମଲାରେ ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ମୁମ୍ବାଇ ବାସଭବନରେ ଚଢାଉ କରିଥିଲା। ଇଡି ନାଗପଡ଼ାର ହସିନା ପାର୍କର ସହ ସଂପର୍କିତ ଅନ୍ୟ ୧୦ ଟି ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ଛାନ୍ଭିନ୍ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।