୫୦ କୋଟିରୁ ଅଧିକ ଲୋକଙ୍କୁ ଦରିଦ୍ର କରି ଦେଇଛି ମହାମାରୀ କରୋନା!

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲାଣି ମହାମାରୀ କରୋନା ସାରା ବିଶ୍ୱକୁ କଲବଲ କରିବାରେ ଲାଗିଛି। ବିଶ୍ୱର ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାର ମାନିଛନ୍ତି। ଏହି ଦୁଇ ବର୍ଷ ମଧ୍ୟରେ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ସଂକ୍ରମିତ ହୋଇଛନ୍ତି। ଏବେ ବି କରୋନା ପ୍ରକୋପ କମିନି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମହାମାରୀ କରୋନାର ପ୍ରଭାବ କେମିତି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି, ତା’ର ରିପୋର୍ଟ ପ୍ରକାଶ […]

who

Hemant Lenka
  • Published: Monday, 13 December 2021
  • , Updated: 13 December 2021, 03:01 PM IST

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲାଣି ମହାମାରୀ କରୋନା ସାରା ବିଶ୍ୱକୁ କଲବଲ କରିବାରେ ଲାଗିଛି। ବିଶ୍ୱର ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାର ମାନିଛନ୍ତି। ଏହି ଦୁଇ ବର୍ଷ ମଧ୍ୟରେ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ସଂକ୍ରମିତ ହୋଇଛନ୍ତି।

ଏବେ ବି କରୋନା ପ୍ରକୋପ କମିନି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମହାମାରୀ କରୋନାର ପ୍ରଭାବ କେମିତି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି, ତା’ର ରିପୋର୍ଟ ପ୍ରକାଶ କରିଛି। ମହାମାରୀ କରୋନା ୫୦ କୋଟିରୁ ଅଧିକ ଲୋକଙ୍କୁ ଅତି ଦାରିଦ୍ର୍ୟ ସୀମା ରେଖା ତଳକୁ ଠେଲି ଦେଇଛି। କାରଣ ସେମାନେ ନିଜ ସଞ୍ଚୟ ଅର୍ଥରୁ ଚିକିତ୍ସା ପାଇଁ ବ୍ୟୟ କରି ସର୍ବସ୍ୱାନ୍ତ ହୋଇଛନ୍ତି। ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ କରୋନା ଗୁରୁତର ପ୍ରଭାବ ପକାଇଥିବା ହୁ’ କହିଛି।

ସଂଗଠନ ପକ୍ଷରୁ ଜାରି ପ୍ରେସ ନୋଟରେ ୨ଟି ରିପୋର୍ଟକୁ ଉଲ୍ଲେଖ କରାଯାଇଛି। ଗୋଟିଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ହୋଇଥିବା ବେଳେ ଅନ୍ୟ ରିପୋର୍ଟଟି ବିଶ୍ୱ ବ୍ୟାଙ୍କ ଦେଇଛି। ଏହି ରିପୋର୍ଟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଚେତାବନୀ ଦିଆଯିବ ସହ କେମିତି ଆଗକୁ ବଢ଼ିବାକୁ ହେବ, ତା’ର ପରାମର୍ଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ସମୂହ ସ୍ୱାସ୍ଥ୍ୟ କଭରେଜ ପାଇଁ ବିଶ୍ୱରେ ଦୀର୍ଘ ୨ ଦଶନ୍ଧି ହେଲା ଜାରି ରହିଥିବା ଉଦ୍ୟମରେ କୋଭିଡ-୧୯ ମହାମାରୀ ବାଧକ ସାଜିଛି। ମହାମାରୀ ପୂର୍ବରୁ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ କରି ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ।

ମହାମାରୀ ଆସିବା ପରେ ସେମାନଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇଛି। ସେମାନେ ପୂର୍ବାପେକ୍ଷା ଆହୁରି ଦରିଦ୍ର ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହି ତାଲିକାରେ ଆହୁରି କୋଟି କୋଟି ଲୋକ ଯୋଡ଼ି ହୋଇଯାଇଛନ୍ତି। ରିପୋର୍ଟରେ ଉଭୟ ହୁ’ ଓ ବିଶ୍ୱ ବ୍ୟାଙ୍କ କହିଛନ୍ତି ଯେ ଦାରିଦ୍ର୍ୟ ବଢ଼ୁଥିବା ବେଳେ ଆୟ ହ୍ରାସ ପାଉଛି। ଏଥିସହ ସରକାର ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି।

ଏହା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାର ଆଶଙ୍କା ରହିଛି। ୨୦୨୦ରେ ମହାମାରୀ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଇଥିଲା। ୧୯୩୦ ପରେ ପ୍ରଥମଥର ପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିଲା। ତେଣୁ ନିଜର ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଲୋକମାନେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମହାମାରୀ ପୂର୍ବରୁ ପ୍ରାୟ ୧୦୦ କୋଟି ଲୋକ ସେମାନଙ୍କ ଆୟର ୧୦% ସ୍ୱାସ୍ଥ୍ୟ ସେବା ଉପରେ ଖର୍ଚ୍ଚ କରୁଥିଲେ। ତେଣୁ ମହାମାରୀ ଆସିବା ପରେ ଏହା ଆହୁରି ବଢ଼ିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। କାରଣ ଗିରବ ଲୋକମାନେ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ସରକାରମାନେ ଏହାର ସୁରକ୍ଷା କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଗରିବ ଲୋକମାନେ ଯେମିତି ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ ନ କରିବେ, ତା’ର ବ୍ୟବସ୍ଥା କରିବାକୁ ହୁ’ ତା’ ରିପୋର୍ଟରେ ପରାମର୍ଶ ଦେଇଛି।

ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ହୁ’ର ମୁଖ୍ୟ ଡା ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ସବୁ ଦେଶର ସରକାର ତୁରନ୍ତ ପ୍ରତିଟି ଲୋକ ଯେମିତି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ, ତା’ର ବ୍ୟବସ୍ଥା କରନ୍ତୁ। କେହି ଯେମିତି ଆର୍ଥିକ ସମସ୍ୟା ଯୋଗୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ, ତା’କୁ ନିଶ୍ଚିତ କରାଯାଉ।

ଭବିଷ୍ୟତରେ ଯଦି କେବେ ମହାମାରୀ ଆସିବ, ତା’ହେଲେ ଏହାର ମୁକାବିଲା ପାଇଁ ଆମକୁ ଏବେଠାରୁ ସଶକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ। ସେହିପରି ସମୂହ ସ୍ୱାସ୍ଥ୍ୟ କଭରେଜ ଦିଗରେ ମଧ୍ୟ ଆମର ଉଦ୍ୟମ ଜାରି ରହିବା ଦରକାର ବୋଲି ସେ କହିଛନ୍ତି।

Related story