‘କୋଭିଶିଲ୍ଡ’ ଟିକାକୁ ଅନୁମୋଦନ ଦେଲେ ସରକାର
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ/ ଆଷ୍ଟ୍ରାଜେନକା ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’ ଟିକାକୁ ଭାରତ ସରକାର ଅନୁମୋଦନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଶନିବାର ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ପାଖରୁ ଏହି ଟିକାକୁ ନେଇ ଆଶାବାଦୀ ଥିଲା। ବିଶେଷଜ୍ଞ ଟିମ୍ କୋଭିଶିଲ୍ଡ ଟିକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ ସୁପାରିଶ କରିଥିଲେ। ଶୁକ୍ରବାର ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଅନୁମୋଦନ ଦେଇଥିଲା ବୋଲି ଜଣାପଡ଼ିଛି। ତେବେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ଚାରୋଟି କରୋନା ଟିକା ପ୍ରସ୍ତୁତ ଥିବା ଜାଭଡେକର କହିଛନ୍ତି।
India is perhaps the only country where four vaccines are getting ready. Serum's Covishield was yesterday approved for emergency use: Union Minister Prakash Javadekar. pic.twitter.com/IelEQP6VZK
— ANI (@ANI) January 2, 2021
ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିଶିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀର ସିଇଓ ଗତ ରବିବାର ଏକ ଖବରକାଗଜକୁ ସାକ୍ଷାତକାର ଦେଇ କହିଥିଲେ। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନର ଅକ୍ସଫୋର୍ଡ ସହ ମିଶି ଏହି ଟିକା ତିଆରି କରିଛି। ବିଶ୍ୱରେ ସବୁଠୁ ଅଧିକ ଟିକା ପ୍ରସ୍ତୁତ କରିବାରେ ସେରମର ନାଁ ରହିଛି।
ସେହିପରି ଆଜି କରୋନା ଟିକାକରଣର ଡ୍ରାଏ ରନ୍ ହୋଇଛି। ସାରା ଦେଶରେ ଟିକାକରଣ ପୂର୍ବରୁ ଡ୍ରାଏ ରନ୍ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଏ ରନର ଅର୍ଥ ହେଉଛି ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣର ପ୍ରକ୍ରିୟାର ଅଭ୍ୟାସ କରିବା। ଏହାକୁ ଟିକାକରଣର ଏକ ମକଡ୍ରିଲ୍ ବୋଲି ମଧ୍ୟ କହିହେବ।
ଲୋକଙ୍କୁ ଟିକା ଯୋଗାଇବା ପାଇଁ କୋଓ୍ୱିନ୍ ଆପ୍ ବ୍ୟବହୃତ ହେବ। ୧୨ ଗୁରୁତ୍ୱପୂର୍ଣ୍ଣ ଦଲିଲ ଆଧାରରେ ଟିକା ଦିଆଯିବ। ଏଥିରେ ପାସପୋର୍ଟ, ଆଧାର, ପାନ୍, ପାସପୋର୍ଟ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଭଳି ଦଲିଲ ଅନ୍ତର୍ଭୁକ୍ତ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।