ନୂଆଦିଲ୍ଲୀ: ଦେଶରେ ଘାଇଁ ଘାଇଁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଅତିକ୍ରମ କରିଯାଇଛି। ଗୋଟିଏ ଦିନରେ ଦେଶରେ ପ୍ରାୟ ୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କେବେ ହେଲେ ଗୋଟିଏ ଦିନରେ ଦେଶରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୮୩କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୭୧୧ ଜଣ ପହଞ୍ଚି ଯାଇଛି।
ସେହିପରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୩୧୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆରୋଗ୍ୟ ହାର ୨୭.୪୧ରେ ପହଞ୍ଚି ଯାଇଛି।
ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, “କିଛି ରାଜ୍ୟ ସମୟ ଅନୁସାରେ କୋଭିଡ-୧୯ ମାମଲା ରିପୋର୍ଟ କରିନାହାନ୍ତି। ସମୟ ଅନୁସାରେ ସବୁ କିଛି କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହେଲେ କିଛି ରାଜ୍ୟ ଏହାକୁ ଗୁରୁତ୍ୱ ଦେଉନାହାନ୍ତି।
ଏବେ ତଥ୍ୟ ଦେବାରୁ ହଠାତ୍ କରୋନା ମାମଲା ବଢ଼ି ଯାଇଛି। ଆମେ କଟକଣା କୋହଳ କରିଛୁ। ଏହାର ଅର୍ଥ ନୁହେଁ ଯେ କରୋନା ଆମ ପାଖରୁ ପଳେଇ ଯାଇଛି। ଆମକୁ ସତର୍କ ରହିବା ସହ କରୋନା ସଂକ୍ରମଣକୁ ରୋକିବାକୁ ପଡ଼ିବ। ସମସ୍ତଙ୍କୁ ନିଜ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ।”
ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ମୃତ୍ୟୁସଂଖ୍ୟା ବେଶ କିଛିଦିନ ସ୍ଥିର ରହିଥିଲା। ତେବେ ହଠାତ୍ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୧୩୩ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୯ ଥିବା ବେଳେ ୨୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସର୍ବାଧିକ ୧୪୫୪୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨୪୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କ୍ଷତିଗ୍ରସ୍ତ ତାଲିକାର ୨ୟ ସ୍ଥାନରେ ଗୁଜରାଟ ରହିଛି। ଏଠାରେ ୫୮୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧୯ ଜଣ ପ୍ରାଣ ହରାଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ୪୮୯୮ ଜଣ ଆକ୍ରାନ୍ତ ଓ ୬୪ ଜଣ ପ୍ରାଣ ହରାଇଛନ୍ତି। ୧୪୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନ୍ୟ ରାଜ୍ୟଗୁଡ଼ିକ କଥା ବିଚାରକୁ ନେଲେ, ଆନ୍ଧ୍ର ପ୍ରଦେଶରେ ୩୬, ବିହାରରେ ୪, ହରିଆଣାରେ ୬, ଜମ୍ମୁ-କଶ୍ମୀରରେ ୮, କର୍ଣ୍ଣାଟକାରେ ୨୮, ଝାରଖଣ୍ଡରେ ୩, ମଧ୍ୟପ୍ରଦେଶରେ ୧୭୬, ପଞ୍ଜାବରେ ୨୩, ରାଜସ୍ଥାନରେ ୭୭, ତାମିଲନାଡୁରେ ୩୧, ତେଲେଙ୍ଗାନାରେ ୨୯ ଓ ଉତ୍ତର ପ୍ରଦେଶରେ ୫୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।