ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପୁଣିଥରେ ଅଘଟଣ ଘଟିଛି। ଆଜି ଜନ ଅଧିକାର ପାର୍ଟିର ମୁଖ୍ୟ ପପୁ ଯାଦବ ବିହାରର ମୀନାପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିଲେ। ହେଲେ ସେ ଭାଷଣ ଦେଉଥିବା ବେଳେ ଷ୍ଟେଜଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ପପୁ ଯାଦବଙ୍କ ଡାହାଣ ହାତ ଭାଙ୍ଗି ଯାଇଛି। ଷ୍ଟେଜ ଭୁଶୁଡ଼ିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ମଧ୍ୟ ହୋଇଛି।
ଭିଡିଓ ଅନୁଯାୟୀ, ପପୁ ଯାଦବ ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ପପୁ ଯାଦବ ଭାଷଣ ଦେଉଥିବାରୁ ଶତାଧିକ ଲୋକ ତାଙ୍କୁ ସଭାରେ ଉପସ୍ଥିତ ରହି ଶୁଣୁଥିଲେ। ତେବେ ହଠାତ୍ ପପୁ ଯାଦବ ଛିଡ଼ା ହୋଇଥିବା ଷ୍ଟେଜ୍ଟି ଭୁଶୁଡ଼ି ପଡ଼ିଥିଲା। ସେ ତଳେ ପଡ଼ି ଯିବାରୁ ତାଙ୍କ ସମର୍ଥକମାନେ ତୁରନ୍ତ ତାଙ୍କୁ ଉଠାଇଥିଲେ। ଏହାପରେ ପୁପୁ ଯାଦବଙ୍କୁ ହସ୍ପିଟାଲ ନିଆଯାଇଥିଲା।
ଘଟଣା ସମ୍ପର୍କରେ ଟ୍ୱିଟ କରି ସେ କହିଛନ୍ତି, “ମୀନାପୁରରେ ଆଜି ଶତାଧିକ ଲୋକ ଏକାଠି ହୋଇଥିଲେ। ତେବେ ପ୍ରଶାସନିକ ଅବହଳା ଯୋଗୁ ଷ୍ଟେଜ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ମୋର ଡାହାଣ ହାତ ଭାଙ୍ଗି ଯାଇଛି। ତଥାପି ବିହାରବାସୀଙ୍କ ପାଇଁ ମୁଁ ପ୍ରଚାର ମଇଦାନକୁ ଓହ୍ଲାବି ଓ ଲୋକଙ୍କ ପାଖରେ ଛିଡ଼ା ହେବି।”
ଏହାପୂର୍ବରୁ ଦରଭଙ୍ଗା ଠାରେ କଂଗ୍ରେସର ଜଣେ ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ହଠାତ୍ ଷ୍ଟେଜ ଭୁଶୁଡ଼ି ପଡ଼ିଥିଲା।
https://twitter.com/i/status/1321743993877639169