ଢାକା: ସଦ୍ୟ ସରିଥିବା ବାଂଲାଦେଶ ନିର୍ବାଚନରେ ଭୋଟିଂରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟିଂ କରି ଗିରଫଦାରୀର ଶିକାର ହୋଇଛନ୍ତି ଜଣେ ସାମ୍ବାଦିକ। ତାଙ୍କ ନାମରେ ଅଭିଯୋଗ ଆସିଛି ସେ ସଂସଦୀୟ ନିର୍ବାଚନର ଭୋଟିଂରେ ଅନିୟମିତତା ହୋଇଥିବା ନେଇ ‘ମିଥ୍ୟା’ ରିପୋର୍ଟିଂ କରିଥିଲେ।
ହେଦୈତ ହୋସେନ୍ ମୋଲ୍ଲା ନାମକ ଏହି ସାମ୍ବାଦିକ ବାଂଲାଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ବାଂଲା ଟ୍ରିବ୍ୟୁନ୍ ଏବଂ ପ୍ରବାହ ସହିତ ଜଡ଼ିତ। ସେ ଲେଖିଥିଲେ ଖୁଲ୍ନା ୧ ନିର୍ବାଚନମଣ୍ଡଳୀରେ ପ୍ରକୃତ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାଠାରୁ ଅଧିକ ୨୨,୪୧୯ ଭୋଟ୍ଗ୍ରହଣ ହୋଇଥିଲା। ପୁଲିସ୍ ସୂତ୍ରରୁ ଏଭଳି ଜଣାପଡ଼ିଛି ବୋଲି ସେ ଦର୍ଶାଇଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ଭୁଲ ବୋଲି ଜଣାପଡ଼ିଥିଲା।
ଏଭଳି ଘଟଣା ଘଟିବାର ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ଏବଂ ଏହାର ମେଣ୍ଟ ଦଳ ଗୁଡ଼ିକ ମୋଟ ୨୯୯ ଆସନରୁ ୨୮୮ଟି ଆସନ ହାତେଇ ନେଇଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ମାତ୍ର ୫ଟି ଆସନରେ ଜିତିପାରିଛି। ଏହି ଦଳ ଗତ ସାଧାରଣ ନିର୍ବାଚନକୁ ‘ହାସ୍ୟାସ୍ପଦ’ ବୋଲି କହି ଏହାକୁ ଅସ୍ୱୀକାର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।