ନୂଆଦିଲ୍ଲୀ: ପାକିସ୍ତାନର ମନ୍ତ୍ରୀ ଚୌଧିୁରୀ ଫଓ୍ୱାଦ ହୁସେନଙ୍କୁ ତାଙ୍କ ଟୁଇଟର କଡ଼ା ଜବାବ ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ବିଜେପି ଏବଂ ଆପ୍ ମଧ୍ୟରେ ରାଜନୀତିକ ବିଚାରଧାରା ଅଲଗା ରହିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏ ତାଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆପ୍ ଏବଂ ବିଜେପି ପରସ୍ପର ମଧ୍ୟରେ ଅନେକ ମନ୍ତବ୍ୟ ଦେଉଥିଲେ ମଧ୍ୟ ଦେଶ ଭିତରର ପ୍ରସଙ୍ଗକୁ ନେଇ ପାକିସ୍ତାନର ଆହ୍ୱାନ କେବେ ଗ୍ରହଣୀୟ ନୁହେଁ ବୋଲି କେଜ୍ରିଓ୍ୱାଲ କହିଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୭-୧୦ ଦିନ ଲାଗିବ। ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ରହିଛି। ଦୁଇ ଦଳର ନେତା ଭୋଟ୍ ହାତେଇବା ପାଇଁ ପରସ୍ପର ବିରୋଧରେ ଅନେକ ମତ ରଖୁଛନ୍ତି। ଏହାରି ଭିତରେ ମୋଦିଙ୍କ ମତକୁ କାଉଣ୍ଟର କରିବାକୁ ଯାଇ ଦିଲ୍ଲୀ ନିର୍ବାଚନକୁ ମୋହରା କରି ଟୁଇଟ୍ କରିଛନ୍ତି ଫଓ୍ୱାଦ।
‘ଭାରତର ନାଗରିକ ମୋଦିଙ୍କୁ ନିଶ୍ଚିତ ଭାବରେ ହରାଇବା ଦରକାର। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ବେଳେ ମୋଦିଙ୍କୁ କଡ଼ା ଜବାବ ଦେବା ଦରକାର। ମୋଦି କଶ୍ମୀର ଭିତରେ ଏବଂ ବାହାରେ ନିୟନ୍ତ୍ରଣ ହରାଇଛନ୍ତି। ଦେଶରେ ନାଗରିକତା ସଂଶୋଧନ ଆଇନ, ଅର୍ଥନୀତି ଭୁଶୁଡି ପଡ଼ିଛି’ ବୋଲି ଫଓ୍ୱାଦ କହିଛନ୍ତି।
नरेंद्र मोदी जी भारत के प्रधानमंत्री है। मेरे भी प्रधानमंत्री है। दिल्ली का चुनाव भारत का आंतरिक मसला है और हमें आतंकवाद के सबसे बड़े प्रायोजकों का हस्तक्षेप बर्दाश्त नहीं। पाकिस्तान जितनी कोशिश कर ले, इस देश की एकता पर प्रहार नहीं कर सकता। https://t.co/E2Rl65nWSK
— Arvind Kejriwal (@ArvindKejriwal) January 31, 2020
ଯାହାର ଜବାବ ଦେଇ କେଜ୍ରିଓ୍ୱାଲ କହିଛନ୍ତି, ‘ମୋଦି ଦେଶର ପ୍ରଧାନମନ୍ତ୍ରୀ। ମୋର ମଧ୍ୟ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ପ୍ରାୟୋଜକ ଦିଲ୍ଲୀ ନିର୍ବାଚନରେ ମୁଣ୍ଡ ପୁରାଇବାକୁ ବରଦାସ୍ତ କରିହେବନି। ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଭାରତର ଅଖଣ୍ଡତାକୁ ଭାଙ୍ଗିପାରିବେ ନାହିଁ’।
ସୂଚନାଯୋଗ୍ୟ, ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ୮ ତାରିଖରେ ଭୋଟ ପଡ଼ିବ। ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ୨୦୧୫ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା। ଚଳିତଥର ବିଜେପି ଅଧିକ ଆସନରେ ଜିତିବ ବୋଲି ଆକଳନ କରିଛି।