କର୍ଣ୍ଣାଟକା: ଆସ୍ଥା ଭୋଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବୁଡ଼ିବା ସ୍ଥିତିରେ ପହଞ୍ଚିଛି। ତେବେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି ନିଷ୍ପତ୍ତି ନ ନେବାକୁ କହିବା ପରେ କୁମାରସ୍ୱାମୀ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ନିବେଦନ କରିଛନ୍ତି। ଆଜିଠାରୁ କର୍ଣ୍ଣାଟକା ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ୧୧ ଦିନ ଧରି ଏହି ଅଧିବେଶନ ଚାଲିବ। ତେବେ ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ […]

e

Hemant Lenka
  • Published: Friday, 12 July 2019
  • , Updated: 12 July 2019, 04:43 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବୁଡ଼ିବା ସ୍ଥିତିରେ ପହଞ୍ଚିଛି। ତେବେ ସରକାର ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି ନିଷ୍ପତ୍ତି ନ ନେବାକୁ କହିବା ପରେ କୁମାରସ୍ୱାମୀ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ନିବେଦନ କରିଛନ୍ତି।

ଆଜିଠାରୁ କର୍ଣ୍ଣାଟକା ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ୧୧ ଦିନ ଧରି ଏହି ଅଧିବେଶନ ଚାଲିବ। ତେବେ ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଗୃହ ମଧ୍ୟରେ ବାଚସ୍ପତି ରମେଶ କୁମାରଙ୍କୁ ତୁରନ୍ତ ଆସ୍ଥା ଭୋଟ କରାଇବାକୁ ନିବେଦନ କରିଛନ୍ତି। ସେ ଏଥିପାଇଁ ତୁରନ୍ତ ସମୟ ଧାର୍ଯ୍ୟ କରିବାକୁ ବାଚସ୍ପତିଙ୍କୁ କହିଛନ୍ତି। ବାଚସ୍ପତି ଏହି ନିବେଦନର ବିଚାର କରିବେ ବୋଲି କହିଛନ୍ତି।

ତେବେ ହଠାତ୍‌ କାହିଁକି କୁମାରସ୍ୱାମୀ ଆସ୍ଥା ଭୋଟ ପାଇଁ ଆଗଭର ହୋଇଛନ୍ତି? ଏହା ପଛରେ ଏକ ବିରାଟ କାରଣ ରହିଛି। ସୁପ୍ରିମକୋର୍ଟ ଆସନ୍ତା ୧୬ ତାରିଖ ଯାଏ ବିଧାୟକଙ୍କ ଇସ୍ତଫା କିମ୍ବା ବହିଷ୍କାର ସମ୍ପର୍କରେ ନିଷ୍ପତ୍ତି ନ ନେବାକୁ ବାଚସ୍ପତିଙ୍କୁ କହିଛନ୍ତି। ଅର୍ଥାତ ଏବେ ବି ସେମାନେ ତାଙ୍କ ପୂର୍ବ ଦଳର ବିଧାୟକ ହୋଇ ରହିଛନ୍ତି।

ଏପରି ସ୍ଥିତିରେ ଯଦି ଆସ୍ଥା ଭୋଟ ହୁଏ, ତା’ହେଲେ ମେଣ୍ଟ ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ଉଭୟ କଂଗ୍ରେସ ଓ ଜେଡିଏସ୍‌ ପକ୍ଷରୁ ସମସ୍ତ ବିଧାୟକଙ୍କୁ ହ୍ୱିପ୍‌ ଜାରି କରାଯିବ। ଯଦି କେହି ବିଧାୟକ ଏହି ହ୍ୱିପ୍‌କୁ ପାଳନ ନ କରିବେ, ତା’ହେଲେ ଦଳ ବଦଳ ଆଇନ୍‌ ବଳରେ ସେମାନଙ୍କୁ ବାଚସ୍ପତି ବହିଷ୍କୃତ କରିପାରିବେ।

ଏହାର ଅର୍ଥ ବହିଷ୍କୃତ ହେଉଥିବା ବିଧାୟକମାନେ ଆସନ୍ତା ୬ ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ। ଏଥିସହ ସେମାନଙ୍କୁ କୌଣସି ସରକାରୀ ସୁବିଧାସୁଯୋଗ ମିଳିବ ନାହିଁ। ଅନ୍ୟପକ୍ଷରେ ଯଦି ସମ୍ପୃକ୍ତ ବିଧାୟକ ଅନୁପସ୍ଥିତ ରହନ୍ତି ତେବେ ଆସ୍ଥା ଭୋଟରେ ମେଣ୍ଟ ସରକାର ହାରିଯିବାର ସମ୍ଭାବନା ରହିଛି।

କର୍ଣ୍ଣାଟକାରେ ମେଣ୍ଟ କରିଥିବା କଂଗ୍ରେସ ଓ ଜେଡିଏସ୍‌ ସରକାରର ୧୬ ଜଣ ବିଧାୟକ ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଛନ୍ତି। ଏହି ୧୬ ଜଣଙ୍କ ମଧ୍ୟରେ ୧୩ ଜଣ କଂଗ୍ରେସ ଓ ୩ ଜଣ ଜେଡିଏସ୍‌ ବିଧାୟକ ରହିଛନ୍ତି। ଏହି ଇସ୍ତଫା ଡ୍ରାମାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି।

ଆଜି ବିଧାନସଭାରେ କୁମାରସ୍ୱାମୀ କହିଛନ୍ତି, “ଏବେ ରାଜ୍ୟ ରାଜନୀତିରେ ବହୁତ କିଛି ଘଟଣା ଘଟୁଛି। ଏଭଳି ସ୍ଥିତିରେ ମୁଁ ଆସ୍ଥା ସଂକଳ୍ପ ଆଣିବାକୁ ଚାହୁଁଛି। ଏଥିପାଇଁ ବାଚସ୍ପତି ସମୟ ଦିଅନ୍ତୁ। ମୁଁ ଏତିକି କହିବାକୁ ଚାହେଁ ଯେ ଆମ ସରକାର ଗୃହର ଆସ୍ଥା ଭାଜନ ହୋଇପାରିଲେ ହିଁ ଆଗକୁ କାମ କରିବ।

ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହି, ଏହାର ଅପବ୍ୟହାର କରିବାକୁ ଚାହୁଁନାହିଁ। ମୁଁ ନିଜ ତରଫରୁ ହିଁ ଆସ୍ଥା ଭୋଟ କରିବାକୁ ପ୍ରସ୍ତାବ ଦେଉଛି। କିଛି ବିଧାୟକମାନଙ୍କ ପାଇଁ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି। ତେଣୁ ସବୁ ପ୍ରକାରର ପରସ୍ଥିତିର ସମ୍ମୁଖୀନ ହେବାକୁ ମୁଁ ରାଜି ଅଛି।”

ବାଚସ୍ପତିଙ୍କୁ ଛାଡ଼ି ମେଣ୍ଟ ସରକାର ପାଖରେ କଂଗ୍ରେସର ୭୮, ଜେଡିଏସ୍‌ର ୩୭ ଓ ବିଏସ୍‌ପିର ୧ ବିଧାୟକ ରହିଛନ୍ତି। ଯଦି ଏମାନଙ୍କ ମଧ୍ୟରୁ ୧୬ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇଯାଏ, ତା’ହେଲେ ମେଣ୍ଟ ସରକାରଙ୍କ ବିଧାୟକଙ୍କ ସଂଖ୍ୟା ୧୦୦କୁ ଖସି ଆସିବ।

ଅନ୍ୟପକ୍ଷରେ ପୂର୍ବରୁ ମେଣ୍ଟ ସରକାରଙ୍କୁ ସମର୍ଥନ କରୁଥିବା ଦୁଇ ସ୍ୱାଧୀନ ବିଧାୟକ ଏବେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି।

Related story