ନୂଆଦିଲ୍ଲୀ: ଭାରତୀୟ ସୀମାରେ ପ୍ରାୟ ୪୪ଟି ବ୍ରିଜ୍ ଉଦଘାଟିତ ହେବା ପରେ ଚିହିଁକି ଉଠିଛି ଚାଇନା। ଏଥିସହ ଭାରତ ସରକାର
ବେଆଇନ ଭାବେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଛନ୍ତି। ଏହାକୁ ଚାଇନା କେବେ ହେଲେ ଗ୍ରହଣ କରିବ ନାହିଁ ବୋଲି ଆଜି ବେଜିଂ ପକ୍ଷରୁ କୁହାଯାଇଛି। ଏଥିସହ ଏହି ଅଞ୍ଚଳରେ ଭାରତ ସରକାର ଭିତ୍ତିଭୂମିକୁ ସୁଦୃଢ଼ କରୁଥିବାରୁ ଏହାକୁ ମଧ୍ୟ ଚାଇନା ବିରୋଧ କରିଛି।
ଚାଇନାର ବୈଦେଶକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ସୀମାରେ ଭିତ୍ତିଭୂମି ନିର୍ମାଣ ହିଁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ପ୍ରମୁଖ କାରଣ। ତେଣୁ ଉଭୟ ଦେଶ ଏମିତି କିଛି ପଦକ୍ଷେପ ଗ୍ରହଣ ନ କରନ୍ତୁ, ଯାହା ଦ୍ୱାରା ସୀମାରେ ତିକ୍ତତା ଆହୁରି ତୀବ୍ର ହେବ।
ଲିଜିଆନଙ୍କୁ ସାମ୍ବାଦିକମାନେ ଭାରତ ସରକାର ଲଦାଖରେ ୮ଟି ଓ ଅରୁଣାଚଳ ପ୍ରଦେଶରେ ୬ଟି ବ୍ରିଜ୍ ନିର୍ମାଣ କରିବା ଉପରେ ପ୍ରତିକ୍ରିୟା ଦେବାକୁ କହିଥିଲେ। ଏହାର ପ୍ରତିକ୍ରିୟାରେ ସେ କହିଛନ୍ତି, ମୁଁ ପ୍ରଥମେ ଏଠାରେ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଭାରତ ସରକାର ଲଦାଖକୁ ଯେଉଁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଛନ୍ତି, ତା’କୁ କେବେ ହେଲେ ଚାଇନା ଗ୍ରହଣ କରୁନାହିଁ।
ଭାରତ ସରକାର ସଂପୂର୍ଣ୍ଣ ବେଆଇନ ଭାବେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଯେଉଁ ବୟାନ ଦେଉଛି, ତା’କୁ ମଧ୍ୟ ଚାଇନା ଗ୍ରହଣ କରେନାହିଁ। ସୀମାକୁ ସେନା ଓ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଭାରତ ସରକାର ଭିତ୍ତିଭୂମି ସୁଦୃଢ଼ କରୁଛନ୍ତି।
ଏହାକୁ ଚାଇନା ସରକାର ଜୋରଦାର ବିରୋଧ କରୁଥିଲେ ଓ କରିବେ। ଭାରତ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ କରି ସୀମାରେ ମିଲିଟାରୀ ପ୍ରତିଷ୍ଠାନ ସ୍ଥାପନ କରାଯାଉଛି। ଏହି କାରଣ ପାଇଁ ହିଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ତେଣୁ ଭାରତ ସରକାର ଆମ ପ୍ରସ୍ତାବକୁ ଗ୍ରହଣ କରି ତୁରନ୍ତ ଏସବୁ କାର୍ଯ୍ୟରୁ ବିରତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି।