ନୂଆଦିଲ୍ଲୀ: ଚଳିତ ବର୍ଷ ଅନ୍ତିମ ବେଳକୁ ବିହାର ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ସମସ୍ତ ରାଜନୀତିକ ଦଳ ବ୍ୟାନର, ପୋଷ୍ଟର ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରି ଦେଇଛନ୍ତି। ଏହାରି ଭିତରେ ଆରଜେଡି ପୋଷ୍ଟରକୁ ନେଇ ସବୁଠି ଚର୍ଚ୍ଚା। କାରଣ ଆରଜେଡି ରାଜ୍ୟ କାର୍ଯ୍ୟାଳୟ ପାଖରେ ଲାଗିଥିବା ନିର୍ବାଚନ ପୋଷ୍ଟରରେ ଲାଲୁଙ୍କ ଫଟୋ ନାହିଁ। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଲାଲୁ ହେଉଛନ୍ତି ଆରଜେଡିର ସଭାପତି। ଚାରା ଘୋଟାଲାରେ ସେ ଝାଡ଼ଖଣ୍ଡ ରା଼ଞ୍ଚି ଜେଲରେ ସଜା କାଟୁଛନ୍ତି।
ପୋଷ୍ଟରରେ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କ ଫୋଟ ରହିଛି। ଯିଏକି ରାଜ୍ୟରେ ଏନଡିଏ ବିରୋଧୀ ଦଳର ନେତୃତ୍ୱ ନେଉଛନ୍ତି। ପୋଷ୍ଟରରେ ତେଜସ୍ୱୀଙ୍କ ଫୋଟ ସହିତ ଲେଖାଅଛି "ନୂଆ ଚିନ୍ତାଧାରା, ନୂଆ ବିହାର, ଏଥର ଯୁବକଙ୍କ ସରକାର। "
ହଳଦିଆ ରଙ୍ଗରେ ଲାଗିଥିବା ଏହି ପୋଷ୍ଟରରେ ବିହାରର ଏକ ମାନଚିତ୍ର ସହିତ ତେଜସ୍ୱୀ ଯାଦବଙ୍କ ଫୋଟ ରହିଛି। ଏହି ପୋଷ୍ଟରରେ ଅନ୍ୟ କୌଣସି ଆରଜେଡି ନେତାଙ୍କ ଫୋଟ ନାହିଁ ।
ତେବେ ଜଣେ ଆରଜେଡି ନେତା ଗୋପନ ରଖି କହିଛନ୍ତି, ଆଜି ବି ରାଜ୍ୟରେ ଲାଲୁଙ୍କ ବ୍ୟକ୍ତିତ୍ୱର ପ୍ରଭାବ ରହିଛି। ଏହାକୁ ଦଳର ନେତାମାନେ ଭୁଲିବା ଠିକ୍ ନୁହେଁ। ଏବେ ବି ରାଜ୍ୟରେ ଆରଜେଡି ଲାଲୁଙ୍କ ନାଁରେ ବହୁତ ଭଲ ଭୋଟ ପାଇବ।