ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ପରୀକ୍ଷା ବହୁତ କମ୍ ହେଉଛି। ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜାଳିଦେଲେ ଏଭଳି ସଙ୍କଟରୁ ବର୍ତ୍ତି ହେବନି। କେରଳ ଓ୍ୱାଏନାଡର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟୁଇଟ୍ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏଭଳି ବର୍ଷିଛନ୍ତି।
ଏପ୍ରିଲ ୫ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ୱା ମୋବାଇଲ୍ ଫ୍ଲାସ ଲାଇଟ୍ ଅନ୍ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏପରି କରିବା ଦ୍ୱାରା ଆଲୋକର ମହାଶକ୍ତିକୁ ଅନୁଭବ ହେବ ଯେ, କରୋନା ବିରୋଧରେ ଆମେ ସମସ୍ତେ ଏକଜୁଟ୍ ହୋଇ ଲଢୁଛେ।
ଅନ୍ୟ ଦେଶରେ କୋଭିଡ୍ ୧୯କୁ ନେଇ ହେଉଥିବା ପରୀକ୍ଷାକୁ ତୁଳନା କରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର କହିଛନ୍ତି, 'କୋଭିଡ-୧୯ର ମୁକାବିଲା କରିବା ପାଇଁ ଭାରତ ଆବଶ୍ୟକ ପରୀକ୍ଷା କରୁନାହିଁ। ଲୋକମାନଙ୍କୁ କରତାଳି, ଥାଳି ବଜାଇଲେ ସମସ୍ୟାର ସମାଧାନ ହେବନି'।
କଂଗ୍ରେସ ମଧ୍ୟ ଟୁଇଟ କରି କହିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଭାରତ ପ୍ରତି ୧୦ ଲକ୍ଷରେ ମାତ୍ର ୨୯ ଜଣଙ୍କୁ ପରୀକ୍ଷା କରୁଛି। ପାକିସ୍ତାନ ପ୍ରତି ୧୦ ଲକ୍ଷରେ ୬୭ ଜଣ, ଶ୍ରୀଲଙ୍କା ୯୭, ବ୍ରିଟେନ ୧,୮୯୧, ଜର୍ମାନୀ ୫,୮୧୨, ଇଟାଲୀ ୭,୧୨୨ ଏବଂ ଦକ୍ଷିଣ କୋରିଆ ପ୍ରତି ୭,୬୨୨ ଲୋକଙ୍କୁ ପରୀକ୍ଷା କରୁଛି।
ସୂଚନାଯୋଗ୍ୟ, ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୨ କୁ ବୃଦ୍ଧି ପାଇଥିବାବେଳେ ୬୮ ଜଣଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।