ଭାରତୀୟ କୋଟିପତିଙ୍କୁ ୩୫% ଅଧିକ ଧନୀ କରିଛି ଲକଡାଉନ, ଲକ୍ଷଲକ୍ଷ ଲୋକ ହରାଇଛନ୍ତି ଚାକିରି!

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ଜାରି ଲକଡାଉନ କାହା ପାଇଁ ଅଭିସାପ ପାଲଟିଥିବା ବେଳେ କାହା ପାଇଁ ପାଲଟିଛି ଆଶୀର୍ବାଦ। ମଧ୍ୟବିତ୍ତ ଓ ଗିରବ ଲୋକମାନେ ଲକଡାଉନ ଯୋଗୁ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଭାରତୀୟ କୋଟିପତି ବନିଛନ୍ତି ଅଧିକ ଧନୀ। ମାର୍ଚ୍ଚମାସରୁ ଲକଡାଉନ ଯୋଗୁ ଦେଶର ବଡ଼ବଡ଼ କୋଟିପତି ଅଧିକ ୩୫% ଧନୀ ହୋଇଛନ୍ତି। ସେମାନଙ୍କ ଆୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ହେଲେ ଖଟିକିଆ ଓ ମଧ୍ୟବିତ୍ତ ବର୍ଗର ଲକ୍ଷଲକ୍ଷ ଲୋକ […]

f

Hemant Lenka
  • Published: Monday, 25 January 2021
  • , Updated: 25 January 2021, 03:47 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ଜାରି ଲକଡାଉନ କାହା ପାଇଁ ଅଭିସାପ ପାଲଟିଥିବା ବେଳେ କାହା ପାଇଁ ପାଲଟିଛି ଆଶୀର୍ବାଦ। ମଧ୍ୟବିତ୍ତ ଓ ଗିରବ ଲୋକମାନେ ଲକଡାଉନ ଯୋଗୁ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଭାରତୀୟ କୋଟିପତି ବନିଛନ୍ତି ଅଧିକ ଧନୀ।

ମାର୍ଚ୍ଚମାସରୁ ଲକଡାଉନ ଯୋଗୁ ଦେଶର ବଡ଼ବଡ଼ କୋଟିପତି ଅଧିକ ୩୫% ଧନୀ ହୋଇଛନ୍ତି। ସେମାନଙ୍କ ଆୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ହେଲେ ଖଟିକିଆ ଓ ମଧ୍ୟବିତ୍ତ ବର୍ଗର ଲକ୍ଷଲକ୍ଷ ଲୋକ ଲକଡାଉନ ଯୋଗୁ ଚାକିରି ହରାଇଛନ୍ତି। ସ୍ୱିଜରଲ୍ୟାଣ୍ଡର ଡାଭୋସ ଠାରେ ଆୟୋଜିତ ୱାର୍ଲ୍ଡ ଇକୋନୋମିକ ଫୋରମରେ ବେସକାରୀ ସଂସ୍ଥା ଅକ୍ସଫାମ ଉପସ୍ଥାପନ କରିଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି। ଲକଡାଉନ ଯୋଗୁ ଲକ୍ଷଲକ୍ଷ ଲୋକ ଜରୁରୀ ସ୍ୱାସ୍ଥ୍ୟସେବା ପାଉ ନଥିବା ବେଳେ କୋଟିପତିମାନଙ୍କ ଆୟ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଥିଲା।

ଦି ଇନଇକ୍ୱାଲିଟି ଭାଇରସ ବା ଅସମାନତା ଭୂତାଣୁ ଶୀର୍ଷକ ରିପୋର୍ଟରେ ଅକ୍ସଫାମ କହିଛି, ଲକଡାଉନ ବେଳେ ଦେଶର କୋଟିପତିଙ୍କ ଆୟ ୩୫% ବୃଦ୍ଧି ପାଇଛି। ସେହିପରି ୮୪% ପରିବାର ନିଜ ରୋଜଗାରରେ କ୍ଷତି ସହିଛନ୍ତି। ୧.୭ ଲକ୍ଷ ଲୋକ କେବଳ ୨୦୨୦ ଏପ୍ରିଲ ମାସର ପ୍ରତିଘଣ୍ଟାରେ ସେମାନଙ୍କ ଚାକିରି ହରାଇଛନ୍ତି।

ଦେଶର ୧୦୦ କୋଟିପତିଙ୍କ ଆୟ ମାର୍ଚ୍ଚ ମାସର ଲକଡାଉନ ପରେ ଯେତିକି ବଢ଼ିଛି ସେମାନେ ୧୩୮ ନିୟୁତ ଗରିବ ଲୋକଙ୍କୁ ଜଣଙ୍କ ପିଛା ୯୪,୦୪୫ ଟଙ୍କାର ଚେକ୍‌ ଦେବାକୁ ସକ୍ଷମ। ଭାରତର ଲୋକଙ୍କ ମଧ୍ୟରେ ଥିବା ଅସମାନତା ଅନେକଙ୍କୁ କଷ୍ଟ ଦେଉଛି। ମହମାରୀ କରୋନା ଭାଇରସର ଭୟ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୋଟିଏ ଘଣ୍ଟାରେ ଯେତିକି ଆୟ କରିଛନ୍ତି, ସେତିକି ଅର୍ଥ ଭାରତୀର ଅଣକୌଶଳୀ ଶ୍ରମିକଙ୍କୁ ଆୟ କରିବାକୁ ପ୍ରାୟ ୧୦ ହଜାର ବର୍ଷ ଲାଗିବ। ସେହିପରି ସେ ଗୋଟିଏ ସେକେଣ୍ଡରେ ଯେତିକି ଆୟ କରିଛନ୍ତି, ସେତିକି ଆୟ କରିବାକୁ ଶ୍ରମିକମାନଙ୍କୁ ପ୍ରାୟ ୩ ବର୍ଷ ସମୟ ଲାଗିବ। ଗତବର୍ଷ ମୁକେଶ ଅମ୍ବାନୀଙ୍କୁ ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି ଭାବେ ମଧ୍ୟ ଘୋଷଣା କରାଯାଇଛି।

କରୋନା ମହମାରୀ ପାଇଁ ଅଚାନକ ଲାଗୁ କରାଯାଇଥିବା ଲକଡାଉନ ଯୋଗୁ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଚାକିରି ହରାଇଥିଲେ। ସେମାନଙ୍କ ପାଖରେ ଟଙ୍କା, ଖାଇବା ଓ ରହିବାକୁ ବାସସ୍ଥାନ ମଧ୍ୟ ନଥିଲା। ଲକଡାଉନ ବେଳେ କାମ ନ ପାଇ ଲକ୍ଷଲକ୍ଷ ଶ୍ରମିକ ରାଜରାସ୍ତାରେ ଚାଲିଚାଲି ନିଜ ଘରକୁ ଆସିବାର ଯନ୍ତ୍ରଣା ଦାୟକ ଭିଡିଓ ସାରା ଦେଶକୁ ଦୋହଲାଇ ଦେଇଥିଲା।

ସେହିପରି ଘରକୁ ଫେରିବା ବେଳେ ଅନେକ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ଅଧା ରାସ୍ତାରେ ହିଁ ପ୍ରାଣ ହରାଇଥିଲେ। ତେବେ ପରିତାପର ବିଷୟ ଯେ କେତେ ଶ୍ରମିକ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ସରକାରଙ୍କ ପାଖରେ ମଧ୍ୟ ନାହିଁ।

ମହାମାରୀ କରୋନା ସଂକ୍ରମଣ ପୂର୍ବ ୧୦୦ ବର୍ଷ ତୁଳନାରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିଲା। ସେହିପରି ୧୯୩୦ ପରେ ଦେଶ ସବୁଠାରୁ ବଡ଼ ଆର୍ଥିକ ସଙ୍କଟପରେ ପଡ଼ିଥିଲା। ଅକ୍ସଫାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ ବେହର କହିଛନ୍ତି, ଆର୍ଥି ସଙ୍କଟ ସତ୍ତ୍ୱେ ଭାରତର ଧନୀ ବ୍ୟକ୍ତିମାନେ ଅଧିକ ଧନୀ ହୋଇଛନ୍ତି ଓ ଲକ୍ଷଲକ୍ଷ ଲୋକ ଚାକରି ହରାଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସେହିପରି କୋଟି କୋଟି ଲୋକ ବହୁତ କଷ୍ଟରେ ନିଜର ଜୀବନଧାରଣ କରୁଥିଲେ। କୁହାଯାଉଥିଲା ଯେ ମହମାରୀ ସମସ୍ତଙ୍କୁ ସମାନ ଭାବେ ପ୍ରଭାବିତ କରିବ। ହେଲେ ଲକଡାଉନ ପରେ ସମାନରେ ଥିବା ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜଳଜଳ ହୋଇ ସାମ୍ନାକୁ ଆସିଥିବା ସେ କହିଛନ୍ତି।

ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅକ୍ସଫାମ ୭୯ଟି ଦେଶର ୨୯୫ ଜଣ ଅର୍ଥ ବିଶାରଦଙ୍କ ରାୟ ନେଇଥିଲା। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୦ ପରେ ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ଶିବ ନାଦର, ସାଇରସ୍ ପୁନାୱାଲା, ଉଦୟ କୋଟାକ୍, ଅଜିମ୍ ପ୍ରେମଜୀ, ସୁନୀଲ ମିତ୍ତଲ, ରାଧାକୃଷ୍ଣ ଦାମନୀ, କୁମାର ମଙ୍ଗଲମ ବିର୍ଲା ଓ ଲକ୍ଷ୍ମୀ ମିତ୍ତଲଙ୍କ ପରି କୋଟିପତିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଲକଡାଉନ୍ ସମୟରେ ଭାରତୀୟ କୋଟିପତିଙ୍କ ସମ୍ପତ୍ତି ୩୫% ବୃଦ୍ଧି ପାଇଛି। କୋଟିପତିଙ୍କ ସମ୍ପତ୍ତିକୁ ବିଚାର କଲେ ଆମେରିକା, ଚାଇନା, ଜର୍ମାନୀ, ରୁଷ ଓ ଫ୍ରାନ୍ସ ପରେ ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଛି। କରୋନା ମହାମାରୀ ଓ ଲକଡାଉନର ପ୍ରଭାବ ସବୁଠାରୁ ଅଧିକ ଅଣସଂଗଠିତ ଶ୍ରମିକଙ୍କ ଉପରେ ପଡ଼ିଥିଲା।

ଏହି ସମୟରେ ପ୍ରାୟ ୧୨.୨ କୋଟି ଲୋକ ଆୟ କରିବାର ଉତ୍ସ ହରାଇଥିଲେ। ଏହା ମଧ୍ୟରୁ ୯.୨ କୋଟି ବା ପ୍ରାୟ ୭୫% ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ ରହିଛନ୍ତି। ଚାକିରି ହରାଇବା ତାଲିକାରେ ମହିଳାମାନେ ଆଗରେ ରହିଛନ୍ତି। ୨୦୨୦ ଏପ୍ରିଲ ମାସ ସୁଦ୍ଧା ୧.୭ କୋଟି ମହିଳା ଚାକିରି ହରାଇଥିଲେ।

ଲକଡାଉନ ପୂର୍ବରୁ ମହିଳା ବେକାରୀଙ୍କ ପ୍ରତିଶତ ୧୫% ଥିଲା। ହେଲେ ଏବେ ଏହା ୧୮% ହୋଇଗଲାଣି। ସେହିପରି ସ୍କୁଲ ଯାଉଥିବା ପିଲାଙ୍କ ସଂଖ୍ୟା ମଧ୍ୟ ଏବେ ଦୁଇଗୁଣ ଅଧିକ ହୋଇଯାଇଛି।

କରୋନା ଯୋଗୁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ମୁକାବିଲା କରିବା ପାଇଁ ଭାରତ ସରକାର ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ହେଲେ ଏହି ପ୍ୟାକେଜ୍‌ ଡାରେକ୍ଟ ଫିସକାଲ ଇମପ୍ୟାକଟ୍ ବା ପ୍ରତ୍ୟେକ୍ଷ ରାଜକୋଷର ୨ ଲକ୍ଷ କୋଟିରୁ ସାମାନ୍ୟ ଅଧିକ। ଅର୍ଥାତ ଜିଡିପିର ଏହା ମାତ୍ର ୧%।

ମହାମାରୀ ବେଳେ ଯଦି ୧୧ ଜଣ ଶ୍ରେଷ୍ଠ କୋଟିପତି ତାଙ୍କ ବର୍ଦ୍ଧିତ ଆୟର ୧% ଟିକସ ଦେଇଥାଆନ୍ତେ, ତା’ହେଲେ ଜନ ଔଷଧୀ ଯୋଜନାରେ ଲୋକଙ୍କୁ ମେଡିସନ୍‌ ଅଧିକ ୧୪୦ ଗୁଣ ଶସ୍ତାରେ ମିଳିଥାଆନ୍ତା।

Related story