ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଚିଟ୍ ଫଣ୍ଡ (ସଂଶୋଧନ) ବିଲ୍ ୨୦୧୯ ପାରିତ ହୋଇଯାଇଛି। ଏହା ନିବେଶକମାନଙ୍କର ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଥିରେ ଚିଟ୍ ଫଣ୍ଡ ବ୍ୟବସ୍ଥାରେ ସୁଧାର ଆଣିବାର ଉଦ୍ଦେଶ୍ୟ ରହିଛି।
ସୂଚନାଯୋଗ୍ୟ ଯେ, ଚିଟ୍ ଫଣ୍ଡ କମ୍ ଆୟକାରୀ ପରିବାରଙ୍କ ଭିତରେ ଲୋକପ୍ରିୟ ହୋଇଥିଲା। ଗ୍ରାମୀଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ରହିଥିବା ଚିଟ୍ ଫଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଚିଟ୍ ଫଣ୍ଡ ଆଇନ ୧୯୮୨ରେ ସଂଶୋଧନ କରାଯାଇଛି।
ଇଣ୍ଡିଭିଜୁଆଲଙ୍କ ଦ୍ୱାରା ପରିଚାଳିତ ଚିଟଫଣ୍ଡ ସ୍କିମ୍ରେ ସର୍ବାଧିକ ୩ ଲକ୍ଷ ଟଙ୍କାର ଜମା ରଖିହେବ, ଯାହାକି ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା। ଅନ୍ୟପକ୍ଷରେ ପାର୍ଟନରଶିପ୍ ଫାର୍ମଗୁଡ଼ିକ ୧୮ ଲକ୍ଷ ଟଙ୍କା ଯାଏ ଜମା ନେଇପାରିବେ। ଏହା ପୂର୍ବରୁ ୬ ଲକ୍ଷ ଟଙ୍କା ଥିଲା। ଏହି ବିଲ୍ରେ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠନ ପାଇଁ ମଧ୍ୟ ପ୍ରସ୍ତାବ ରହିଥିଲା। ଏହା ଗଠନ ହେବା ସହ ପୂର୍ବ ଡ୍ରାଫ୍ଟକୁ ସମୀକ୍ଷା କରିଥିଲା। ତେବେ ନିର୍ବାଚନ ସହ ଏହାର ବୈଧତାରେ ଅନ୍ତ ଘଟିଛି।
ଏହି ବିଲ୍ରେ ଆସିଥିବା ପରିବର୍ତ୍ତନ ଅନୁଯାୟୀ, ଫଣ୍ଡ ପରିଚାଳନା କରୁଥିବା ଲୋକ ଜମା ଉପରେ ସର୍ବାଧିକ ୫%ରୁ ୭% କମିଶନ୍ ନେଇପାରିବେ। ସୂଚନାଯୋଗ୍ୟ ଯେ, ଶାରଦା ଚିଟ୍ଫଣ୍ଡ, ରୋଜ୍ ଭ୍ୟାଲି ଏବଂ ଅନ୍ୟ କିଛି ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ।