ପୁଣେ: ଏନ୍ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସିଏଏ ଲାଗୁରୁ ଓହରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହି ଆଇନ ଧାର୍ମିକ ଏବଂ ସାମାଜିକ ଭାତୃଭାବକୁ ଆଘାତ ଦେଉଥିବାରୁ ତାଙ୍କ ଦଳ ଭାଗିଦାର ଥିବା ମହାରାଷ୍ଟ୍ର ସରକାର ଏହାକୁ ଲାଗୁ ନ କରୁ।
ସେ ଏହି ଆଇନ ବାବଦରେ କହିଛନ୍ତି, ଦେଶର ବିଭିନ୍ନ ଗୁରୁତର ସମସ୍ୟାରୁ ଲୋକଙ୍କ ନଜର ହଟାଇବା ପାଇଁ ନାଗରିକତା ସଂଶୋଧନ ଆଇନ ଏବଂ ପ୍ରସ୍ତାବିତ ଏନ୍ଆରସି ଅଣାଯାଇଛି। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଥିବା ମେଣ୍ଟ ସରକାରରେ ଏନ୍ସିପି ସହ ଲୋକସଭାରେ ସିଏଏକୁ ଭୋଟ ଦେଇଥିବା ଶିବସେନା ଏବଂ ଏହାକୁ ବିରୋଧ କରିଆସୁଥିବା କଂଗ୍ରେସ ମଧ୍ୟ ଭାଗୀଦାର ରହିଛି।
ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, “ଏନ୍ଡିଏ ମେଣ୍ଟ ସହଯୋଗୀ ଜେଡିୟୁ ଶାସିତ ବିହାର ସମେତ ୮ଟି ରାଜ୍ୟ ଏହି ଆଇନ ଲାଗୁ କରିବାକୁ ମନା କରିଛନ୍ତି। ମହାରାଷ୍ଟ୍ର ମଧ୍ୟ ତାହା କରିବା ଦରକାର।”
ସୂଚନାଯୋଗ୍ୟ ଯେ, ବିହାର ସହିତ କେରଳ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଆଦି ରାଜ୍ୟ ସିଏଏ ଲଗାଇବାକୁ ମନା କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି, ସିଏଏ ଲାଗୁ କରିବା ନ କରିବା ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି।