ମୁମ୍ୱାଇ: ଶିବସେନା ଦ୍ୱାରା ପରିଚାଳିତ ମରାଠୀ ଦୈନିକ ଖବରକାଗଜ ‘ସାମ୍ନା’ ନିଜର କାର୍ଟୁନ୍ କଟାକ୍ଷ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଲେ ଏବେ ସେହି ଖବରକାଗଜର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ କଟାକ୍ଷ କରିଛି ଆଉ ଏକ ମରାଠୀ ଦୈନିକ ଖବର କାଗଜ ‘ତରୁଣ ଭାରତ’, ଯିଏ ବିଜେପି-ଶିବସେନା ମେଣ୍ଟରେ ଫାଟ ପାଇଁ ସଞ୍ଜୟଙ୍କୁ ଦାୟୀ କରିଛି। ଏଥିସହ ସଞ୍ଜୟ ରାଉତଙ୍କୁ ‘ବେତାଳ’ ସହ ତୁଳନା କରିଛି। ହିନ୍ଦୁ ପରମ୍ପରା ଅନୁସାରେ 'ବେତାଳ'ର ଅର୍ଥ 'ଭୂତ'।
ବିଜେପି-ଶିବସେନା ମେଣ୍ଟକୁ ନେଇ ‘ତରୁଣ ଭାରତ’ ଏକ ସମ୍ପାଦକୀୟ ଲେଖିଛି। ଯାହାର ଶୀର୍ଷକ ରହିଛି ‘ଉଦ୍ଧବ ଏବଂ ବେତାଳ’। ବାଲସାହେବ ଠାକରେ ତାଙ୍କ ଜୀବନକାଳ ଭିତରେ ଏନସିପି ଓ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ‘ବେତାଳ’ ଏବେ ଏନସିପି ଓ କଂଗ୍ରେସର ସ୍ୱପ୍ନକୁ ପୂରଣ କରିବାକୁ ଯାଉଛନ୍ତି ବୋଲି ‘ତରୁଣ ଭାରତ’ରେ ସମ୍ପାଦକୀୟ ଲେଖିଛି।
ସଞ୍ଜୟ ନାମ ହେଉଛି ମହାଭାରତର ଏଭଳି ଜଣେ ଚରିତ୍ର, ଯିଏ ପାଣ୍ଡବ ଏବଂ କୌରବଙ୍କ ଯୁଦ୍ଧ ବାବଦରେ ଅନ୍ଧ ରାଜା ଧ୍ରୁତରାଷ୍ଟ୍ରଙ୍କୁ ସମସ୍ତ ସୂଚନା ଦେଉଥିଲେ। ଯାହାକି ବହୁତ ଭଲ ପରାମର୍ଶ ଏବଂ ମନ୍ତବ୍ୟ ଥିଲା। ହେଲେ ଏହି ସଞ୍ଜୟ(ଶିବସେନା) ବିଜେପି ସହ ମେଣ୍ଟ ଭାଙ୍ଗିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ଏଥିସହ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ମନ୍ଦ ପରାମର୍ଶ ଦେଉଛନ୍ତି ବୋଲି ‘ତରୁଣ ଭାରତ’ ଦର୍ଶାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।