ନୂଆଦିଲ୍ଲୀ: ବିବାଦୀୟଭାବେ ଛୁଟିରେ ଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ତାଙ୍କ ଅଧୀନସ୍ଥ ଅଧିକାରୀ ରାକେଶ ଅସ୍ଥାନା ଆଣିଥିବା ଲାଞ୍ଚ ଅଭିଯୋଗର ତଦନ୍ତରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍ (ସିଭିସି) କିଛି ମଧ୍ୟ ପ୍ରମାଣ ପାଇନଥିବା ଜଣାଯାଇଛି। ଏନଦିଟିଭି ସୂତ୍ରରୁ ଜଣାଯାଇଛି, ଆଲୋକ ବର୍ମା କିଛି ଟଙ୍କା କାରବାର କରିଥିବାର ପ୍ରମାଣ ମିଳିନାହିଁ। ତେଣୁ ତାଙ୍କ ନାମରେ ଆସିଥିବା ଲାଞ୍ଚ ଅଭିଯୋଗରୁ ତାଙ୍କୁ ମୁକ୍ତ କରିଦିଆଯିବାର ସମ୍ଭାବନା ବଢ଼ିବାରେ ଲାଗିଛି। କିନ୍ତୁ ଆଲୋକ ବର୍ମା "administrative lapses" ବା “ପ୍ରଶାସନିକ ତ୍ରୁଟି” କରିଥିବାର ପ୍ରମାଣ ସିଭିସିଙ୍କ ହସ୍ତଗତ ହୋଇଛି।
ସିଭିସି ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଆସନ୍ତାକାଲିଠାରୁ ଶୁଣାଣି ଆରମ୍ଭ ହେବାର ଅଛି, ତେଣୁ କାଲି ହିଁ ଆଲୋକ ବର୍ମା ତାଙ୍କ ନାମରେ ଆସିଥିବା ମୁଖ୍ୟ ଅଭିଯୋଗରେ କ୍ଲିନ୍ଚିଟ୍ ପାଇବାର ସମ୍ଭାବନା ଅଛି। ଏହି ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ , କିନ୍ତୁ ସିଭିସି ଗୋଟିଏ ଦିନ ଡେରିରେ ଏହାକୁ ଦାଖଲ କରି କ୍ଷମା ପ୍ରାର୍ଥନା କରିଥିଲେ।
ଆଲୋକ ବର୍ମା ମଧ୍ୟ ରାକେଶ ଆସ୍ଥାନାଙ୍କ ବିରୋଧରେ ସମାନ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ମଧ୍ୟ ହେବାର ସମ୍ଭାବନା ରହିଛି। ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ଏମ୍ ନାଗେଶ୍ୱର ରାଓ ଅକ୍ଟୋବର ୨୪ ତାରିଖ ଭୋର ୨ଟା ବେଳକୁ ଦାୟିତ୍ୱ ନେବାପରେ ଆଲୋକ ବର୍ମାଙ୍କ ନିକଟତର କୁହାଯାଉଥିବା ୧୨ ଜଣଙ୍କ ବଦଳି ନିର୍ଦ୍ଦେଶ ଦେବା ବାବଦରେ ମଧ୍ୟ ଏହି ରିପୋର୍ଟରେ ତଥ୍ୟ ରହିଛି। ଏକେ ବାସି ନାମକ ଜଣେ ଅଧିକାରୀଙ୍କୁ ଆଣ୍ଡାମାନ୍ ବଦଳି କରାଯିବାକୁ ନେଇ ସେ ସୁପ୍ରିମ୍କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।