କେନ୍ଦ୍ର ସହ ଆଲୋଚନା ବିଫଳ, ଦିଲ୍ଲୀ ଛାଡ଼ିବେନି ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ଦେଶର ଲକ୍ଷଲକ୍ଷ ଚାଷୀ। ଚାଷୀଙ୍କୁ ମନେଇବା ପାଇଁ କେନ୍ଦ୍ର ସରକାର ଆଜି ପ୍ରୟାସ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଆଜି ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା କାଳ ଆଲୋଚନା ହୋଇଥିଲା। ହେଲେ ଏହି ଆଲୋଚନାକୁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ। ଆସନ୍ତା ୩ ତାରିଖରେ ପୁଣି ଦ୍ୱିତୀୟ ରାଉଣ୍ଡ ବୈଠକ ବସିବ ବୋଲି […]

fd

Hemant Lenka
  • Published: Tuesday, 01 December 2020
  • , Updated: 01 December 2020, 07:28 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ଦେଶର ଲକ୍ଷଲକ୍ଷ ଚାଷୀ। ଚାଷୀଙ୍କୁ ମନେଇବା ପାଇଁ କେନ୍ଦ୍ର ସରକାର ଆଜି ପ୍ରୟାସ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଆଜି ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା କାଳ ଆଲୋଚନା ହୋଇଥିଲା। ହେଲେ ଏହି ଆଲୋଚନାକୁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ।

ଆସନ୍ତା ୩ ତାରିଖରେ ପୁଣି ଦ୍ୱିତୀୟ ରାଉଣ୍ଡ ବୈଠକ ବସିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆଲୋଚନା ବିଫଳ ହୋଇଥିବାରୁ ଚାଷୀମାନେ ପୂର୍ବଭଳି ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। କୃଷି ଆଇନକୁ ବିରୋଧ କରି ଦୀର୍ଘ ୬ ଦିନ ହେଲାଣି ବିଭିନ୍ନ ରାଜ୍ୟର ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି।

ସେମାନେ ଦିଲ୍ଲୀରେ ପ୍ରବେଶ କରିବାକୁ ଚାହୁଁଥିଲେ ହେଁ ସୁରକ୍ଷାକର୍ମୀ ସେମାନଙ୍କୁ ଅନୁମତି ଦେଇନାହାନ୍ତି। ଏଥିପାଇଁ ସେମାନେ ସୀମାର ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନ ତୀବ୍ର ହେବାରୁ ଆଜି କେନ୍ଦ୍ର ସରକାର ୩୨ଟି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ବିଜ୍ଞାନ ଭବନରେ ଆଲୋଚନା ଆରମ୍ଭ କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋଏଲ ଏବଂ ସୋମ ପ୍ରକାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀ ପ୍ରତିନିଧିଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରାଯାଇଥିଲା। ତେବେ ଚାଷୀମାନେ ଆଇନକୁ ପ୍ରତ୍ୟାହାର ଜିଦ୍‌ରେ ଅଟଳ ରହିଥିଲେ। କେନ୍ଦ୍ର ସରକାର ଆଣିଥିବା ଆଇନ ପୁଞ୍ଜିପତି ମାନଙ୍କୁ ସହାୟକ ହେବ ବୋଲି ଅଭିଯୋଗ କରିଥିଲେ।

କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ହେଁ ଚାଷୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନଥିଲା। ଦିନ ୩ଟାରୁ ଆରମ୍ଭ ହୋଇଥିବା ବୈଠକ ସନ୍ଧ୍ୟା ୭ଟା ଯାଏ ଚାଲିଥିଲା। ତଥାପି ବୈଠକରୁ କୌଣସି ଫଳାଫଳ ବାହାରି ପାରି ନାହିଁ। ତେଣୁ ଚାଷୀମାନେ ପୂର୍ବଭଳି ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ତୋମାର କହିଛନ୍ତି, ବୈଠକରେ ଆମେ ନୂଆ ଆଇନରେ ଥିବା ସମସ୍ତ ବିଷୟ ଗୁଡ଼ିକୁ ଚାଷୀଙ୍କୁ ଅବଗତ କରାଇଥିଲୁ। ଆମର ଆଶା ଆଗକୁ ଚାଷୀମାନଙ୍କ ସହ ଆମର ପୁଣି ବୈଠକ ହେବ। ଚାଷୀମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ ବୋଲି ଆମେ ଅନୁରୋଧ କରିଛୁ। ଆସନ୍ତା ଡିସେମ୍ବର ୩ ତାରିଖ ଦିନ ୧୨ଟାରେ ଏହି ବିଜ୍ଞାନ ଭବନରେ ବୈଠକ ବସିବ। ଚାଷୀମାନେ ପୁଣି ଆଲୋଚନା କରିବାକୁ ଆସିବେ ବୋଲି ସେ କହିଛନ୍ତି।

ଚାଷୀଙ୍କ ସହ ବୈଠକ କରିବା ପୂର୍ବରୁ ଶ୍ରୀ ତୋମାର, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୁଦ୍ଧଦ୍ୱାର ବୈଠକ କରିଥିଲେ।

Related story