ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିବାଦ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହା ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ହିଁ ନୁହେଁ। ସେ କହିଛନ୍ତି ସିଏଏ ଏବଂ ଏନ୍ଆରସି ପରସ୍ପର ସହିତ ଜଡ଼ିତ ନୁହେଁ।
ମଙ୍ଗଳବାର ରବିଶଙ୍କର କହିଛନ୍ତି, “ଏନ୍ଆରସି ଏଯାଏ ଚୂଡ଼ାନ୍ତ ହୋଇନି। ସିଏଏକୁ ଏନ୍ଆରସି ସହିତ ଯୋଡ଼ିବାର ପ୍ରଶ୍ନ ଉଠୁନି, କାରଣ ଏଯାଏ ଏନ୍ଆରସି ଡ୍ରାଫ୍ଟିଂ ସରିନି। ଦେଶ ହିନ୍ଦୁଙ୍କର ଯେତିକି ମୁସଲିମଙ୍କର ସେତିକି।”
ରବିଶଙ୍କର ଶାନ୍ତି ପାଇଁ ଆହ୍ୱାନ କରି କହିଥିଲେ, ଯେଉଁମାନେ ଚାହିଁବେ ମୁଁ ସେମାନଙ୍କୁ ବୁଝେଇଦେଇ ପାରିବି। କିନ୍ତୁ ଯେଉଁମାନେ ଚାହୁଁନାହାନ୍ତି ସେମାନଙ୍କୁ ବୁଝେଇପାରିବେନି। ସେମାନଙ୍କ କାମ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା।
ନାଗରିକତା ଆଇନକୁ ବିରୋଧ ନେଇ ରବିଶଙ୍କର କହିଥିଲେ, ଯେଉଁମାନେ ବିରୋଧ କରୁଛନ୍ତି ମୁଁ ସେମାନଙ୍କୁ ଭେଟିବି, କିନ୍ତୁ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗକୁ ଛାଡ଼ିବିନି। ଆର୍ଟିକିଲ ୧୯ ଅଧୀନରେ ତୁମକୁ କହିବାର ଅଧିକାର ଅଛି। କିନ୍ତୁ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କହିଲେ କାର୍ଯ୍ୟାନୁଷ୍ଠାନ ହେବ।