ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ଟ୍ରକ୍ ଭିତରେ ବସିଥିବା କିଛି ଯବାନ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଧିକାରୀ ସେମାନଙ୍କ ବୁଲେଟ୍ ପ୍ରୁଫ୍ ଟ୍ରକରେ ନ ପଠାଇ ସେମାନଙ୍କ ଜୀବନ ସହ ଖେଳୁଛନ୍ତି।
ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ ଯବାନଙ୍କୁ ଶହୀଦ ହେବା ପାଇଁ ବିନା ବୁଲେଟପ୍ରୁଫ୍ ଟ୍ରକରେ ପଠାଯାଉଛି ହେଲେ ପ୍ରଧାନମମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟି ଟଙ୍କାର ବିମାନ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
https://twitter.com/RahulGandhi/status/1314757278222802944
ଗତବର୍ଷ ପୁଲୱାମାରେ CRPF ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ଅନେକ ଯବାନ ଶହୀଦ ହୋଇଥିଲେ। ଏହାପରେ କଶ୍ମୀର ଉପତ୍ୟକାରେ ଯବାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମାଇନ୍ ପ୍ରୋଟେକଟେଡ ଯାନ ଏବଂ ୩୦ ସିଟ୍ ବିଶିଷ୍ଟ ବସ୍ କିଣିବେ ବୋଲି ସିଆରପିଏଫ କହିଥିଲା।
ଜମ୍ମୁ କଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଯେଉଁଠାରେ ବିପଦ ରହିଛି ସେଠାରେ ଯବାନ ମାନଙ୍କୁ ବିମାନରେ ଯିବା ଆସିବା ପାଇଁ ଗୃହ ମନ୍ତ୍ରଣାଳୟ ଗତ ବର୍ଷ ଘୋଷଣା କରିଥିଲା। କଶ୍ମୀର ଉପତ୍ୟକାରେ ନିୟୋଜିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ସମସ୍ତ ଯବାନ ଏବଂ ଅଧିକାରୀ ବର୍ତ୍ତମାନ ଘରୋଇ ବିମାନରେ ଉଡ଼ାଣ କରିପାରିବେ। ଡ୍ୟୁଟି କିମ୍ବା ବୁଲିବା ପାଇଁ କିମ୍ବା ଛୁଟିରେ ଘରକୁ ଫେରିବାବେଳେ ମଧ୍ୟ ବିମାନ ବ୍ୟବହାର କରିପାରିବେ ବୋଲି ମୋଦି ସରକାର କହିଥିଲେ।