ମହାରାଷ୍ଟ୍ରରେ ରାଜନୀତିକ ଟଣାଓଟରା: ହାତ ଟେକି ଦେଲେ ରାହୁଲ ଗାନ୍ଧି

ମୁମ୍ବାଇ: କରୋନା ଲଢ଼େଇ ଭିତରେ ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି। ଏପରି କି ମହାରାଷ୍ଟ୍ରରେ ସରକାର କରିଥିବା କଂଗ୍ରେସ-ଏନସିପି ଓ ଶିବସେନାରେ ଫାଟ ଦେଖାଯାଉଥିବା ମଧ୍ୟ ଆଶଙ୍କା କରାଯାଉଛି। ଏସବୁ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବଡ଼ ବୟାନ ଦେଇଛନ୍ତି। ତାଙ୍କ ଦଳ କଂଗ୍ରେସ ସହଯୋଗୀ ଏନସିପି ଓ ଶିବସେନା ସହ […]

r

Hemant Lenka
  • Published: Tuesday, 26 May 2020
  • , Updated: 26 May 2020, 03:53 PM IST

ମୁମ୍ବାଇ: କରୋନା ଲଢ଼େଇ ଭିତରେ ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି। ଏପରି କି ମହାରାଷ୍ଟ୍ରରେ ସରକାର କରିଥିବା କଂଗ୍ରେସ-ଏନସିପି ଓ ଶିବସେନାରେ ଫାଟ ଦେଖାଯାଉଥିବା ମଧ୍ୟ ଆଶଙ୍କା କରାଯାଉଛି।

ଏସବୁ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବଡ଼ ବୟାନ ଦେଇଛନ୍ତି। ତାଙ୍କ ଦଳ କଂଗ୍ରେସ ସହଯୋଗୀ ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ ହେଁ ରାହୁଲ ଗାନ୍ଧି କିନ୍ତୁ ଓଲଟା କଥା କହିଛନ୍ତି।

ସେ କହିଛନ୍ତି, କଂଗ୍ରେସ ସରକାରଙ୍କୁ ମହାରାଷ୍ଟ୍ରରେ ସମର୍ଥନ ଦେଇଛି। ହେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ କଂଗ୍ରେସର କୌଣସି ଅଧିକାର ନାହିଁ। କଂଗ୍ରେସ କେବଳ ପ୍ରସ୍ତାବ ଦେଇପାରିବ। ଏହାକୁ ଲାଗୁ କରିବା ଓ ନ କରିବା ସରକାରଙ୍କ ଉପରେ ନିର୍ଭର କରେ।

କଂଗ୍ରେସ ପଞ୍ଜାବ, ପୁଡୁଚେରୀ, ରାଜସ୍ଥାନ ଓ ଛତିଶଗଡ଼ରେ ପୂର୍ଣ୍ଣ କ୍ଷମତା ରଖିଛି। ଏହି ସବୁ ରାଜ୍ୟରେ କଂଗ୍ରେସ ନିଜ ଇଚ୍ଛାରେ ବିଭିନ୍ନ ନିଷ୍ପତ୍ତି ନେଇପାରୁଛି। ହେଲେ ମହାରାଷ୍ଟ୍ରରେ କଂଗ୍ରେସ କେବଳ ପ୍ରସ୍ତାବ ଦେଇପାରିବ। କରୋନା ମୁକାବିଲା ପାଇଁ କ’ଣ ସବୁ କରିବା ଦରକାର ସେ ବିଷୟରେ ଏକାଧିକ ପ୍ରସ୍ତାବ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଦିଆଯାଇଛି। ଏହାକୁ ଲାଗୁ କରିବା ଓ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ମହାରାଷ୍ଟ୍ର ସରକାରଙ୍କର ରହିଛି।

ରାହୁଲ କହିଛନ୍ତି, “ମହା ବିକାଶ ଅଘାଡ଼ିରେ କଂଗ୍ରେସ ଏକ ଅଂଶ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛି। କିନ୍ତୁ ଦଳ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନୁହେଁ। ମୁମ୍ବାଇ ସାରା ବିଶ୍ୱକୁ ସଂଯୋଗ କରୁଛି। ଏହି କାରଣ ପାଇଁ ସେଠାରେ କୋଭିଡ-୧୯ କେସ ବଢ଼ି ଚାଲିଛି। କଂଗ୍ରେସ ଯେଉଁ ସବୁ ରାଜ୍ୟରେ ଏକାକୀ ସରକାର ଗଢ଼ିଛି, ସେଠାରେ ଭଲ କାମ କରାଯାଇଛି।”

ଏନସିପି ସୁପ୍ରିମୋ ଶରଦ ପାୱାର ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ରାଜ୍ୟପାଳଙ୍କ ସହ ଏହା ପାୱାରଙ୍କ ପ୍ରଥମ ସାକ୍ଷାତକାର। ଏହାକୁ କେବଳ ସୌଜନ୍ୟତାମୂଳକ ସାକ୍ଷାତ କୁହାଯାଉଥିଲେ ହେଁ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି।

Related story