ନୂଆଦିଲ୍ଲୀ: ଗତ ୯ ବର୍ଷରେ ନକ୍ସଲବାହିନୀଙ୍କ ଆକ୍ରମଣରେ ୧୦ ରାଜ୍ୟରେ ୩୭୦୦ ଜୀବନ ଯାଇଥିବା ତଥ୍ୟ ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏଥିରୁ ଜଣାପଡ଼ିଛି ନକ୍ସଲ ସଂଘଟିତ ହିଂସାରେ ଛତିଶଗଡ଼ରେ ସବୁଠାରୁ ଅଧିକ ଜୀବନ ଯାଇଛି।
୨୦୧୮-୧୯ ରିପୋର୍ଟ ଅନୁଯାୟୀ ଦେଶର ବିଭିନ୍ନ ବାମ ବିଚାରଧାରାର ଚରମପନ୍ଥୀ ସଂଗଠନଙ୍କ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ସବୁଠାରୁ ଅଧିକ ହିଂସାକାଣ୍ଡ ଘଟାଇ ଆସିଛି। ମୋଟ ହିଂସାକାଣ୍ଡର ୮୮% ହିଂସା ଏହି ସଂଗଠନ ହିଁ ଘଟାଇଛି। ଏହି ରିପୋର୍ଟରେ କୁହାଯାଇଛି, “ନକ୍ସଲଙ୍କ ବିପର୍ଯ୍ୟୟ ସତ୍ତ୍ୱେ ସେମାନେ ଏବେ ଅନ୍ତଃରାଜ୍ୟ ସୀମାଗୁଡ଼ିକରେ କାୟା ବିସ୍ତାର କରିବାକୁ ପ୍ରୟାସ କରୁଛନ୍ତି। ଏଯାଏ କିନ୍ତୁ ସେମାନଙ୍କୁ କିଛି ସଫଳତା ମିଳିନି।”
୨୦୧୦ ପରଠାରୁ ୧୦ଟି ରାଜ୍ୟରେ ଏଭଳି ୧୦,୬୬୦ ହିଂସାକାଣ୍ଡ ଘଟିଛି। ଏଥିରେ ୩,୭୪୯ ଲୋକ ପ୍ରାଣ ହରାଇଛନ୍ତି। କେବଳ ଛତିଶଗଡ଼ରେ ୨୦୧୦ରୁ ୨୦୧୮ ମଧ୍ୟରେ ବାମ ବିଚାରଧାରାର ଏହି ଚରମପନ୍ଥୀ ବା ଉଗ୍ରପନ୍ଥୀମାନେ ୩,୭୬୯ ଘଟଣା ଘଟାଇଥିବାବେଳେ ଏଥିରେ ସର୍ବାଧିକ ୧,୩୭୦ ଜୀବନ ଯାଇଛି। ୧୦ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରେ ଛତିଶଗଡ଼, ଓଡ଼ିଶା, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଆଦି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।