ମୋଦିଙ୍କ ଶପଥ ଉତ୍ସବ: ପାକିସ୍ତାନ ଓ ଚାଇନାକୁ ଦେଲେନି ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନସମର୍ଥନ ପାଇ ପୁଣିଥରେ କ୍ଷମତା ଦଖଲ କରିଥିବା ମୋଦିଙ୍କ ନେତୃତ୍ଵାଧୀନ ଏନ୍‌ଡିଏ ଆସନ୍ତା ୩୦ ତାରିଖରେ ସରକାର ଗଠନ କରିବ। ୩୦ ତାରିଖ ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ୨୦୧୪ ପରେ ୨୦୧୯ରେ ମଧ୍ୟ ମୋଦି ଓ ଭାରତ […]

ue

ue

Hemant Lenka
  • Published: Monday, 27 May 2019
  • Updated: 27 May 2019, 10:07 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନସମର୍ଥନ ପାଇ ପୁଣିଥରେ କ୍ଷମତା ଦଖଲ କରିଥିବା ମୋଦିଙ୍କ ନେତୃତ୍ଵାଧୀନ ଏନ୍‌ଡିଏ ଆସନ୍ତା ୩୦ ତାରିଖରେ ସରକାର ଗଠନ କରିବ। ୩୦ ତାରିଖ ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

୨୦୧୪ ପରେ ୨୦୧୯ରେ ମଧ୍ୟ ମୋଦି ଓ ଭାରତ ସରକାର ତାଙ୍କର ‘ନେବରହୁଡ୍‌ ଫାଷ୍ଟ’ ବା ‘ପଡ଼ୋଶୀ ପ୍ରଥମେ’ ନୀତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ଶପଥ ପାଠ ଉତ୍ସବକୁ ଦେଶ ବିଦେଶର ବହୁ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ଭାରତର ଦୁଇ ପ୍ରମୁଖ ପଡ଼ୋଶୀ ପାକିସ୍ତାନ ଓ ଚାଇନାକୁ ଶପଥପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିବା ଜଣାପଡ଼ିଛି।

୨୦୧୪ରେ ଭାରତ ସରକାର ମୋଦିଙ୍କ ଶପଥ ପାଠ ଉତ୍ସବକୁ ସାର୍କ ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ। ସାର୍କରେ ପାକିସ୍ତାନ ଓ ଚାଇନା ଉଭୟ ରହିଛନ୍ତି। ତେଣୁ ଭାରତ ସରକାରଙ୍କ ଡାକରା ପାଇ ତତ୍କାଳୀନ ପାକ୍‌ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିଥିଲେ। ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଭାରତ ସରକାର 'ବିମଷ୍ଟେକ' (BIMSTEC) ରାଷ୍ଟ୍ରର ମୁଖ୍ୟମାନଙ୍କୁ ମୋଦିଙ୍କ ଶପଥ ପାଠ ଉତ୍ସବ ପାଇଁ ନମନ୍ତ୍ରଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଉତ୍ତମ ବନ୍ଧୁତା ସ୍ଥାପନ ଉଦ୍ଦେଶ୍ୟରେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଭାରତ ପକ୍ଷରୁ 'ବିମଷ୍ଟେକ' ରାଷ୍ଟ୍ରମୁଖ୍ୟମାନଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଯାଇଛି। 'ବିମଷ୍ଟେକ'ରେ ଭାରତ ସମେତ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ୭ଟି ରାଷ୍ଟ୍ର ରହିଛନ୍ତି। ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ନେପାଳ ଓ ଭୁଟାନକୁ ନେଇ 'ବିମଷ୍ଟେକ' ଗଠିତ। ଏହି ରାଷ୍ଟ୍ରଗୁଡ଼ିକ ବ୍ୟତୀତ ଭାରତ ସରକାର ଆଜି କିର୍ଗିଜିସ୍ତାନର ରାଷ୍ଟ୍ରପତି ଓ ମରିସସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ସେ ମୋଦିଙ୍କ ଶପଥ ପାଠ ଉତ୍ସବରେ ଯୋଗଦେଇ ନପାରନ୍ତି। କାରଣ ସେ ୩ଟି ବିଦେଶ ରାଷ୍ଟ୍ରକୁ ଗସ୍ତରେ ଯାଉଛନ୍ତି। ହେଲେ ସେ ମୋଦିଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଲିବରେସନ ଯୁଦ୍ଧ ବ୍ୟାପାର ମନ୍ତ୍ରୀ ଏକେଏମ୍‌ ମୋଜାମେଲ ହକ୍‌ ବାଂଲାଦେଶ ପକ୍ଷରୁ ମୋଦିଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବେ ବୋଲି କୁହାଯାଇଛି।

ମେ’ ୨୩ରେ ଏନ୍‌ଡିଏ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଟ୍ୱିଟ୍‌ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନୂଆ ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବର୍ତ୍ତାକୁ ଆଗକୁ ନେବେ ବୋଲି ଆଶା ପୋଷଣ କରିଥିଲେ। ଏଥିସହ ସେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇବାକୁ ଭୁଲି ନଥିଲେ।

୨୦୧୬ ଉରି ସେନା କ୍ୟାମ୍ପ ହମ୍‌ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏଥିସହ ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାରର ଆଲୋଚନାକୁ ରଦ୍ଦ କରିଥିଲେ। ଏହି ତିକ୍ତତା ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ଆହୁରି ବଢ଼ି ଯାଇଥିଲା। ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ସରକାର ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିବା ଘଟଣା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ ଚାଇନା ସହ ମଧ୍ୟ ଭାରତ ସରକାର ସର୍ବଦା ଭଲ ସମ୍ପର୍କ ରଖିବାକୁ ପ୍ରୟାସ କରି ଆସିଛନ୍ତି। କିନ୍ତୁ ପାକିସ୍ତାନ ପ୍ରତି ଚାଇନାର ଅହେତୁକ ପ୍ରୀତି ଅନେକ ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ଗସ୍ତ କରି ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଅନୌପଚାରିକ ଆଲୋଚନା କରିଥିଲେ। ସୀମାରେ ଶାନ୍ତି ଓ ଦୁଇ ଦେଶ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ତଥାପି ଚାଇନାକୁ ମୋଦିଙ୍କ ଶପଥପାଠ ଉତ୍ସବକୁ ନିମନ୍ତ୍ରଣ ନ କରିବାର କାରଣ ଜଣାପଡ଼ି ନାହିଁ।

ଦେଶରେ ଏକାଧିକ ରାଜନୀତିକ ଦଳର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମୋଦିଙ୍କ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ଆନ୍ଧ୍ରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ ରହିଥିବା ଜଣାପଡ଼ିଛି। ଗତକାଲି ଜଗନ ମୋହନ ରେଡ୍ଡୀ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିଥିଲେ। ଜଗନ ମୋହନ ମଧ୍ୟ ୩୦ ତାରିଖରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଉତ୍ସବରେ ଯୋଗଦେବାକୁ ସେ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos