ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଆଜ୍ଞା ହଁ, ଏଭଳି ନିୟମ ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି। ଉଭୟ ବିଏମ୍ସି ଏବଂ ମୁମ୍ବାଇ ଟ୍ରାଫିକ୍ ପୁଲିସ୍ର ନୂଆ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଯାନ ୨୬ଟି ପାର୍କିଂ ଲଟ୍ର ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା କୌଣସି 'ନୋ ପାର୍କିଂ' ଜୋନ୍ରେ ପାର୍କିଂ ହୋଇଥାଏ, ତାହେଲେ ୫ ହଜାର ଟଙ୍କାରୁ ୨୩ ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ହେବ।
ପାର୍କିଂ ନିୟମ ଉଲ୍ଲଙ୍ଘନ କଲେ ବାଇକ୍ ପାଇଁ ୫ ହଜାରରୁ ୮,୩୦୦ ଏବଂ ୪ ଚକିଆ ପାଇଁ ୧୦ ହଜାରରୁ ୨୩,୨୫୦ ଟଙ୍କାର ଜୋରିମାନା ଲାଗୁ ହେବ। ମଧ୍ୟମ ଧରଣର ଗାଡ଼ି ପାଇଁ ୧୧ ହଜାରରୁ ୧୭,୬୦୦ ଟଙ୍କା ଲାଗୁ ହେବ, ହାଲୁକା ଯାନ ପାଇଁ ୧୦ ହଜାରରୁ ୧୫,୧୦୦ ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ୩ ଚକିଆ ଯାନ ନିୟମ ଉଲ୍ଲଂଘନ କଲେ ୮ ହଜାର ଟଙ୍କାରୁ ୧୨,୨୦୦ ଟଙ୍କାର ଜୋରିମାନା ଲାଗୁ ହେବ।
ଲୋକେ ଯେଉଁଠି ମନ ସେଇଠି ପାର୍କିଂ କରୁଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଲୋକେ ମନଇଚ୍ଛା ଗାଡ଼ି ପାର୍କିଂ କରି ଚାଲିଯାଆନ୍ତି ଓ ସେଥିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସଙ୍ଗେସଙ୍ଗେ ମୁଖ୍ୟ ରାସ୍ତା ଜାମ୍ ହୋଇଯାଏ। ଏଭଳି ଦାୟିତ୍ୱହୀନତାର ମୁକାବିଲା ପାଇଁ ଏଭଳି କଠୋର ବ୍ୟବସ୍ଥା କରାଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।