ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଜୁଲାଇ ମାସଠାରୁ ଏଯାବତ ପେଟ୍ରୋଲ ଦର ଲିଟର ପିଛା ୬ ଟଙ୍କା ବୃଦ୍ଧି ପାଇଛି। ତେଲ ଦରରେ ଏମିତି ବୃଦ୍ଧି ଗତ ତିନି ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ସେହିପରି ଏହି ଦୁଇ ମାସରେ ଡିଜେଲ ଦର ମଧ୍ୟ ଲିଟର ପିଛା ୩.୬୭ ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୬୮.୧୯ ଟଙ୍କା ରହିଛି। ଆଉ ଡିଜେଲ(ରବିବାର, ୨୭.୦୮.୧୭) ୬୧.୩୭ ଟଙ୍କା ରହିଛି। ମିଳିଥିବା ସୂଚନା ଅନୁଯାୟୀ ତୈଳ କମ୍ପାନୀ ଗୁଡ଼ିକ ଗତ ଚାରିମାସ ମଧ୍ୟରେ ସବୁଠୁ ଅଧିକ ଦର ବଢାଇଛନ୍ତି। ନୂଆ ନିୟମ ଅନୁଯାୟୀ ଦେଶରେ ପ୍ରତିଦିନ ତୈଳ ଦର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଜୁନ୍ ୧୬ରୁ ଏହି ନିୟମ ଲାଗୁ କରାଯାଇଥିଲା। ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ ବୋଲି ବିଚାର କରାଯାଉଥିଲା। ହେଲେ ଏହି ନିଷ୍ପତ୍ତିର ପ୍ରଥମ ସପ୍ତାହରେ ତେଲ ଦର କିଛି ମାତ୍ରାରେ କମିଥିଲା । କିନ୍ତୁ ଜୁଲାଇ ୩ ତାରିଖ ଠାରୁ ତେଲ ଦର ହୁହୁ ବୃଦ୍ଧି ପାଇ ଚାଲିଛି। ଜୁନ ୧୬ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ୬୪.୪୮ ଟଙ୍କା ଥିଲା। କିନ୍ତୁ ଜୁଲାଇ ୨ ତାରିଖ ଦର କମି ୬୩.୦୬ ଟଙ୍କା ହୋଇଗଲା । କେବଳ ଚାରିଥର ତେଲ ଦରରେ ୨-୯ ପଇଶା କଟାଯାଇଥିଲା । ଏହାପରେ କୌଣସି ଦିନ ତେଲ ଦର କମି ନାହିଁ ।
ସେହିପରି ଡିଜେଲରେ ଅହେତୁକ ଦର ବୃଦ୍ଧି ପାଇଛି। ପୂର୍ବରୁ ତେଲ ଦର ପରିବର୍ତ୍ତନ ସମ୍ପର୍କରେ ଲୋକେ ଅବଗତ ହୋଇପାରୁଥିଲେ। କାରଣ ଏହା ଟେଲିଭଜନ ଏବଂ ଖବରକାଗଜରେ ପ୍ରକାଶ ପାଉଥିଲା। ହେଲେ ଏବେ ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ ପାଉ ନାହିଁ। ଏବେ ଡିଜିଟାଲ ମାଧ୍ୟମରେ ତଥ୍ୟ ଉପଲବ୍ଧ ହେଉଥିଲେ ମଧ୍ୟ ଉପଭୋକ୍ତାଙ୍କ ନଜର ଯାଉ ନାହିଁ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଲୋକେ ଡିଜିଟାଲ ପ୍ରତି ସେତେଟା ସଚେତନ ନୁହଁ। କହିବାକୁ ଗଲେ ପ୍ରାୟତଃ ସମସ୍ତେ ଅନ୍ଧାରରେ ରହୁଛନ୍ତି। ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ୍ୟ କମିଲେ ମଧ୍ୟ ତେଲ ଦର କମୁନି। ଏବେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୫୦ ଡଲାର ରହିଛି। ଏବେ ତେଲ ଦର ଲିଟର ପିଛା ୧ରୁ ୧୫ ପଇସା ବଢୁଛି । ଯାହା ଲୋକ ଲୋଚନକୁ ଆସି ପାରୁ ନାହିଁ। ସେହିପରି ଆଗଭଳି ଚର୍ଚ୍ଚା ମଧ୍ୟ ହେଉ ନାହିଁ। ଫଳରେ ସରକାରଙ୍କ ଉପରେ ଚାପ ପଡ଼ୁ ନାହିଁ। ଏବେ ତେଲ ଦର ନିୟନ୍ତ୍ରଣ ବାହାରେ ହୋଇଗଲାଣି ବୋଲି ଜଣେ ତୈଳ କମ୍ପାନୀର କାଯର୍ୟକର୍ତ୍ତା କହିଛନ୍ତି । ପୂର୍ବରୁ ୨୦୦୨ ଅପ୍ରେଲ ୧ ତାରିଖରେ ଅଟୋ ଇନ୍ଧନ ବିନିମୟ ନିୟମ ଅନୁଯାୟୀ ମାସର ପ୍ରଥମ ଦିନ କିମ୍ବା ୧୬ ତାରିଖରେ ତେଲ ଦର ନିୟନ୍ତ୍ରଣ କରାଯାଉଥିଲା । ଅନ୍ତର୍ଜାତୀୟସ୍ତରରେ ଡଲାର ମୂଲ୍ୟ ଅନୁସାରେ ଏହି ଦର ଧାର୍ଯ୍ୟ କରାଯାଉଥିଲା ।
କିନ୍ତୁ ଅନେକ ସମୟରେ ଅନ୍ତର୍ଜାତୀୟ ତୈଳ ଦରରେ ସପ୍ତାହ ପାଇଁ ହଠାତ କମୁଥିଲା ଓ ବଢ଼ୁଥିଲା । ଏହା ଦ୍ୱାରା ସରକାରଙ୍କ ତୈଳ ନୀତି ଉପରେ ଏହାର ପ୍ରଭାବ ପଡ଼ୁଥିଲା । ଶେଷରେ୨୦୧୦ ମସିହା ଜୁନ ମାସରେ ପେଟ୍ରୋଲ ଦରକୁ ସରକାର ନିଜର ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଲେ। ସେହିପରି ୨୦୧୪ ଅକ୍ଟବର ମାସରେ ଡିଜେଲ ସରକାରଙ୍କ ହାତରୁ ଚାଲିଗଲା। ଆଉ ୨୦୧୭ରେ ଏମିତି ପଦକ୍ଷେପ ନିଆଗଲା ଯାହା ସରକାରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଛି। ତେଲ ଦର ବଢୁଛି। ହେଲେ କେହି କହିବାକୁ ନାହିଁ କି ସରକାର ଶୁଣିବାକୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।