ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ସେ କରୋନା ମହାମାରୀର ମୁକାବିଲା ପାଇଁ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ୍ କାର୍ଯ୍ୟକାରୀ ହେଉଛି।
ଆସନ୍ତାକାଲି ରାତି ୧୨ଟାରେ ଏହି ଅବଧି ଶେଷ ହେବ। କରୋନା ଏଯାଏ ନିୟନ୍ତ୍ରଣକୁ ଆସି ନଥିବାରୁ ମୋଦି ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି। ଆସନ୍ତାକାଲି ଦିନ ୧୦ଟାରେ ସେ ଏ ସମ୍ପର୍କରେ ଘୋଷଣା କରିବେ। ୨୧ ଦିନିଆ ଲକଡାଉନ ଅବଧି ଶେଷ ହେବା ପୂର୍ବରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟ ଏହାକୁ ବୃଦ୍ଧି କରିସାରିଛନ୍ତି। ଅନେକ ରାଜ୍ୟରେ ଏପ୍ରିଲ ୩୦ ଯାଏ ତାଲାବାନ୍ଦ ହେବ ବୋଲି ସ୍ଥାନୀୟ ସରକାରମାନେ ଘୋଷଣା କରିସାରିଛନ୍ତି।
Prime Minister @narendramodi will address the nation at 10 AM on 14th April 2020.
— PMO India (@PMOIndia) April 13, 2020
ଏବେ ମୋଦି ସାରା ଭାରତରେ ଏପ୍ରିଲ ୩୦ ନା ତା’ଠାରୁ ଅଧିକ ଦିନ ତାଲାବନ୍ଦ ଘୋଷଣା କରିବେ, ତା’ ଉପରେ ସମସ୍ତଙ୍କ ନଜର। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହି ସମୟରେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ତେଣୁ ମୋଦି ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିପାରନ୍ତି। ଆସନ୍ତାକାଲି ଦିନ ୧୦ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଆଜି ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ଘୋଷଣା କରାଯାଇଛି।
ଗୋଟିଏ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ ନକରି ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ରେଡ୍ ଜୋନ ବୋଲି ଘୋଷଣା କରିପାରନ୍ତି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ଅରେଞ୍ଜ ଜୋନ୍ ଭାବେ ଚିହ୍ନଟ ହେବ। ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି।
ସେହିପରି ଗ୍ରୀନ ଜୋନରେ ଅଳ୍ପ କିଛି କଟକଣା ରହିବା ସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ରହିଛି। ଏହି ଗ୍ରୀନ ଜୋନରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ଅନ୍ତର୍ଭୁକ୍ତ କରିପାରନ୍ତି ସରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।