ଅହମଦାବାଦ: ବ୍ୟବସାୟ ଏବଂ ଶିଳ୍ପ ପ୍ରତିଷ୍ଠା କଲେ ଯାଇ ଜଣେ କୋଟିପତି ହୋଇପାରିବ। ଏଭଳି ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଗୁଜରାଟର ଚାଷୀ ଜିତେଶ ପଟେଲ। ଖାଇବା ଥାଳିରେ ଆଳୁର ଚାହିଦା ଅଧିକ ରହିଥିବା ବେଳେ ଦାମ ମଧ୍ୟ ଅନ୍ୟ ଗ୍ରୋସରୀ ତୁଳନାରେ କମ୍ ରହିଥାଏ। ଜିତେଶ କିନ୍ତୁ ଟିକିଏ ନିଆରା ଆଳୁ ଚାଷ କରି ବାର୍ଷିକ ୨୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।
ଗୁଜରାଟ ଅରଭଲି ଜିଲ୍ଲା ଡୋଲପୁର କାମ୍ପା ଗାଁର ଜିତେଶ ନିଜ ଛୁଆଙ୍କୁ କୃଷି ବିଜ୍ଞାନ ଉପରେ ପାଠ ପଢ଼ାଇବା ପରେ ସପରିବାର ‘ଲେଡି ରୋସେତା’ ଆଳୁ ଚାଷ କରନ୍ତି। ଏହି ଆଳୁ ମୁଖ୍ୟତଃ ଚିପ୍ସ ଏବଂ ପତଳା ବିସ୍କୁଟ ତିଆରିରେ ବ୍ୟବହାର ହୁଏ।
ଏବେ ଜିତେଶ ପଟେଲ ଏବଂ ତାଙ୍କ ପରିବାରର ସମସ୍ତେ ଏହି ଲେଡି ରୋସେତା ଆଳୁ ଚାଷ କରିବାରେ ନିୟୋଜିତ ଅଛନ୍ତି। ଆଳୁ ଚିପ୍ସ କମ୍ପାନୀ ଏବଂ ବିସ୍କୁଟ ଫ୍ୟାକ୍ଟ୍ରିକୁ ଏହି ଆଳୁ ଯୋଗାଉଛନ୍ତି। ଦୀର୍ଘ ୨୬ ବର୍ଷ ହେବ ଜିତେଶଙ୍କ ପରିବାର କେବଳ ଗୋଟିଏ ପ୍ରକାର ଆଳୁ ଚାଷ କରୁଥିଲେ। ଏବେ ସେ ଏହି ଲେଡି ରୋସେତା ଆଳୁ ଚାଷ କରିଆସୁଛନ୍ତି।
ଗୁଜରାଟ ଗାନ୍ଧିନଗରରେ ପୋଟାଟୋ କନକ୍ଲେଭ-୨୦୨୦ ଚାଲିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିତେଶ କହିଛନ୍ତି, ‘୨୦୦୫ରେ କୃଷିରେ ଏମଏସି କରିବା ପରେ ଚାଷ କରିବା ମୋର ଲକ୍ଷ୍ୟ ଥିଲା। ୨୦୦୭ରେ ପ୍ରଥମେ ଲେଡି ରୋସେତା ଆଳୁ ଚାଷ ୧୦ ଏକର ଜମିରେ କରିଥିଲି। ଫସଲ ଭଲ ହେବା ପରେ ମୁଁ ଏହି ଚାଷରେ ମୋର ପରିବାର ଲୋକଙ୍କୁ ଯୋଡ଼ିଥିଲି। ଏବେ ମୋ ପରିବାରର ୧୦ ଜଣ ସଦସ୍ୟ ଏହି ଚାଷରେ ନିୟୋଜିତ ଅଛନ୍ତି। ଯେଉଁମାନେ ଆମେ ଚାଷ କରୁଥିବା ଆଳୁ ନେଉଛନ୍ତି ସେମାନଙ୍କ ସହିତ ଲମ୍ୱା ଚୁକ୍ତି ହୋଇଛି। କମ୍ପାନୀ ମାନଙ୍କୁ ଆଳୁ ରପ୍ତାନୀ କରିବା ବେଳେ ଆଳୁ କେଜି ୧୭ ଟଙ୍କା ରହିଛି’।
ଖାଲି ଭାରତ ନୁହେଁ ଏବେ ଏଲଆର ଭେରାଇଟିର ଆଳୁ ଇଣ୍ଡୋନେସିଆ, କୁଏତ, ଓମାନ ଏବଂ ସାଉଦି ଆରବକୁ ପ୍ରତିବର୍ଷ ଏକ ଲକ୍ଷ ଟନ୍ ରପ୍ତାନୀ ହେଉଛି ବୋଲି ଟେକିନୋ ଆଗ୍ରୋ ସାଇନ୍ସର ସିଇଓ ସଚିନ ମଦନ କହିଛନ୍ତି।