ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଉପସଭାପତି ତଥା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ବାରମ୍ୱାର ବିରୋଧ କରିଆସୁଛନ୍ତି। ବିରୋଧ ସତ୍ତ୍ୱେ ସିଏଏ ହଟିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଥିଲେ। ଏହାପରେ ବୁଧବାର ଟୁଇଟ୍ କରି ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।
https://twitter.com/PrashantKishor/status/1219824934484152326
ପ୍ରଶାନ୍ତ କିଶୋର ଟୁଇଟ୍ କରି କହିଛନ୍ତି, ସିଏଏକୁ ନେଇ ବିରୋଧ ସତ୍ତ୍ୱେ ସରକାର ଏହାକୁ ନହଟାଇବାର ଅର୍ଥ ଶକ୍ତିଶାଳୀ ବୋଲି କୁହାଯାଇପାରିବନି। ଯଦି ସିଏଏ, ଏନଆରସିକୁ ବିରୋଧ କରୁଥିବା ଲୋକଙ୍କ ବାବଦରେ ଆପଣ ଯଦି ଚିନ୍ତା କରୁ ନାହାନ୍ତି ତା’ହେଲେ ସିଏଏ ପରେ ଏନଆରସି କାହିଁକି ଧାରାବାହିକ ଭାବରେ ଲାଗୁ କରୁନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ କହିଥିଲେ, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଆଜି ବିରୋଧୀ ଦଳମାନେ ଭୋଟ୍ବ୍ୟାଙ୍କ ପଲିଟିକ୍ସ ପାଇଁ ମିଛର ପ୍ରଚାର କରୁଛନ୍ତି। କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ବୋଲି ଶାହ ସ୍ପଷ୍ଟ କରିଥିଲେ।