ନୂଆଦିଲ୍ଲୀ: ଲକଡାଉନ ଯୋଗୁ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଖାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରୁଥିବା ଗରିବ ଓ ଦିନ ମଜୁରିଆମାନେ ସକାଳ ୬ଟାରୁ ହିଁ ମଧ୍ୟାହ୍ଣ ଭୋଜନ ପାଇଁ ଧାଡ଼ି କରୁଛନ୍ତି। ସକାଳ ୬ଟାରୁ ବ୍ୟାଗ, ବାଲଟି ଭଳି ସାମଗ୍ରୀ ଗୁଡ଼ିକ ଧାଡ଼ିରେ ରଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ଉପରେ ଧାଡ଼ିରେ ଥୁଆ ହେଉଥିବା ଜିନିଷ ଗୁଡ଼ିକ ମଧ୍ୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରାଯାଉଛି।
ସକାଳୁ ଏସବୁ ଜିନିଷ ଥୋଇ ଲୋକମାନେ ଲଞ୍ଚ ପାଇଁ ଅପେକ୍ଷା କରୁଛନ୍ତି। ଠିକ ମଧ୍ୟାହ୍ଣ ବେଳକୁ ଏସବୁ ଜିନିଷ ବଦଳରେ ଲୋକମାନେ ଟାଣ ଖରାରେ ଧାଡ଼ିରେ ଛିଡ଼ା ହୋଇ ଲଞ୍ଚ କରୁଛନ୍ତି। ଉତ୍ତରପଶ୍ଚିମ ଦିଲ୍ଲୀର ବଡଲିରେ ଥିବା ସରକାରୀ ସ୍କୁଲରେ ଲୋକ ପ୍ରତିଦିନ ଧାଡ଼ିରେ ଛିଡ଼ା ହୋଇ ମାଗଣା ଖାଇବା ଖାଉଛନ୍ତି। ସେମାନଙ୍କୁ ଭାତ, ଡାଲି ଓ ତରକାରୀ ମିଳୁଛି।
ଆଜି ପ୍ରାୟ ୧୨ ଶହ ଲୋକ ଧାଡ଼ିରେ ଛିଡ଼ା ହୋଇଥିଲେ। ଜଣଙ୍କୁ ଖାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଅଟୋ ଚାଳକ କହିଛନ୍ତି, “ଆମକୁ ସକାଳ ୬ଟା ବେଳେ ଏଠାକୁ ଆସିବାକୁ ପଡ଼ୁଛି। କାରଣ ଶହଶହ ଲୋକଙ୍କ ଭିତରେ ଆଗୁଆ ଧାଡ଼ି କରି ଆମେ ଲଞ୍ଚ କରିବାକୁ ଚାହୁଁଛୁ। କାରଣ ଆମ ନମ୍ବର ଆସିଲା ବେଳକୁ ଅନେକ ସମୟରେ ଖାଦ୍ୟ ସରି ଯାଉଛି। ତେଣୁ ଲଞ୍ଚ ସମୟର ବହୁ ପୂର୍ବରୁ ଆମକୁ ଏଠାରେ ଧାଡ଼ି କରିବାକୁ ପଡ଼ୁଛି।”
ଏପ୍ରିଲ ୧ ରୁ ଦିଲ୍ଲୀ ସରକାର ୨୫ଶହ କେନ୍ଦ୍ରରେ ପ୍ରତିଦିନ ୧୦ ଲକ୍ଷ ଲୋକଙ୍କୁ ଖାଇବାକୁ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ କିଛି ଲୋକ ଖାଇବା ନ ପାଇ ଫେରୁଛନ୍ତି। ଏହି କାରଣରୁ ଲୋକମାନେ ସକାଳ ୬ଟାରୁ ଆସି ଧାଡ଼ି କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।