ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗାନ୍ଧି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସେ ଦୀର୍ଘାୟୁ ହୁଅନ୍ତୁ।
ମୋଦିଙ୍କ ସହିତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନେତା ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ହରାଇ ଆମେଠିର ସାଂସଦ ହୋଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ରାହୁଲଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇନହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ପାଇଁ କରିଥିବା ଟ୍ୱିଟକୁ ରିଟ୍ୱିଟ୍ କରି ସ୍ମୃତି ଇରାନୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ରାହୁଲଙ୍କ ଭାଷଣ ଏବଂ ସାକ୍ଷାତକାରର କିଛି ଅଂଶ ରହିଛି।
ଏଆଇସିସି ପକ୍ଷରୁ ମଧ୍ୟରୁ କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏବଂ ଦଳର ଅନ୍ୟାନ୍ୟ ନେତା ଏହି ଅବସରରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୧୯୭୦ ଜୁନ ୧୯ରେ ରାହୁଲ ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହିତ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜର ପିତାଙ୍କ ଲୋକସଭା ଆସନ ଆମେଠିରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି। ୨୦୦୪ରୁ ସେ ଆମେଠିରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଥିଲେ। ଚଳିତ ଥର କିନ୍ତୁ ସେ ଆମେଠିରୁ ପରାସ୍ତ ହୋଇଛନ୍ତି। କେରଳର ଓ୍ୱାଇନାଡ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।