ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ୍ ରହିଛି। ତେଣୁ ରେଳ ସେବା ବନ୍ଦ ରହିଛି। ଏପ୍ରିଲ ୧୪ରେ ୨୧ ଦିନିଆ ଲକଡାଉନ୍ ଶେଷ ହେଉଛି। ୧୫ ତାରିଖରୁ ରେଳ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସମସ୍ତ ରେଳ ସୁରକ୍ଷା କର୍ମୀ, ଟିଟିଇ, ଗାର୍ଡସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏପ୍ରିଲ ୧୫ରୁ କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଥିବା ସୂଚନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ପରିଷଦଙ୍କ ନିଷ୍ପତ୍ତି କ୍ରମେ ରେଳ ଚଳାଚଳ ନେଇ ରେଳ ମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯିବ ବୋଲି ସୂଚନା ରହିଛି।
ସେହିପରି ରେଳ ମନ୍ତ୍ରଣାଳୟର ଆଉ ଏକ ସୂଚନା ଅନୁଯାୟୀ, ପାସେଞ୍ଜର ଟ୍ରେନ, ଶତାବ୍ଦୀ, ରାଜଧାନୀ, ଦୁରୋନ୍ତୋ, ତେଜସ ଏବଂ ବନ୍ଦେ ମା' ତରମ ଭଳି ଟ୍ରେନ୍ ମୋଟ୍ ୮୦ ପ୍ରତିଶତ ଟ୍ରେନ ଚାଲିବ ବୋଲି ଜଣାପଡିଛି। ସାପ୍ତାହିକ ଟ୍ରେନ ଗୁଡିକୁ ସରକାର ଏବେ ସାମୟିକ ସମୟ ପାଇଁ ବନ୍ଦ ରଖିପାରନ୍ତି।
ତେବେ ରେଳ କର୍ମଚାରୀ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତଙ୍କର ଥର୍ମାଲ୍ ସ୍କ୍ରନିଂ କରିପାରନ୍ତି। ହେଲେ ଏ ନେଇ ରେଳ ମନ୍ତ୍ରଣାଳୟ ତରଫରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ ରାତିରେ ଲକଡାଉନ ଘୋଷଣା କରିବା ପରେ ଦେଶର ୧୩,୫୨୩ଟି ଟ୍ରେନ୍ ଏବେ ନିଜ ନିଜ ଷ୍ଟେସନରେ ରହିଛନ୍ତି। ହେଲେ ମାଲ ପରିବହନ କରୁଥିବା ଟ୍ରେନ ଚଳାଚଳ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।