ଅମରାବତୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଭୋଟ୍ ପାଇବା ପାଇଁ ଆଶା ରଖିବା ଠିକ୍ ନୁହେଁ। ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଏବେଠୁ କାମ କରିବା ଦରକାର। ତାହେଲେ ଯାଇ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିପାରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ଦଳୀୟ କର୍ମୀଙ୍କ ମାନରେ ଏଭଳି ଗୁରୁମନ୍ତ୍ର ଫୁଙ୍କିଛନ୍ତି। ଏଥିସହ ବିଜେପି ଯଦି ଆଗାମୀ ଦିନରେ ନିର୍ବାଚନରେ ଜିତିବ ତା’ହେଲେ କିଏ ପ୍ରଧାନମନ୍ତ୍ରୀ ହେବେ ସେ ନେଇ ରାମ ମାଧବ କହିଛନ୍ତି। କାରଣ ଏବେ ମୋଦିଙ୍କୁ ଉତ୍ତରାଧିକାରୀ ଭାବରେ ଅମିତ ଶାହ ବୋଲି ଚର୍ଚ୍ଚା ହେଉଛି।
ମୋଦିଙ୍କ କାନ୍ଧରେ ବନ୍ଧୁକ ଧରି ଲଢ଼ିବା ପାଇଁ ଚେଷ୍ଟା କରିବା ଠିକ୍ ନୁହେଁ। ଯଦି ଏହା ହେବ ତା’ହେଲେ ୨୦୧୯ ବିଧାନସଭା ନିର୍ବାଚନର ଫଳାଫଳ ୨୦୨୪ରେ ବି ଭୋଗିବାକୁ ପଡ଼ିବ ବୋଲି ଏହି ବିଜେପି ନେତା କହିଛନ୍ତି।
ଆନ୍ଧ୍ରପ୍ରଦେଶରେ ବିରୋଧୀ ଭୂମିକା ଏବେ ଶୂନ୍ୟସ୍ଥାନ ରହିଛି। ୨୦୨୪ରେ କ୍ଷମତାକୁ ଆସିବା ପାଇଁ ଆମକୁ ସେହି ଶୂନ୍ୟସ୍ଥାନ ପୂରଣ କରିବାକୁ ଏବଂ ପୂର୍ଣ୍ଣ ଶକ୍ତି ସହିତ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
“ଦିଲ୍ଲୀ ନେତାଙ୍କ ଉପରେ ସବୁବେଳେ ଭରସା କରିବା ଠିକ୍ ନୁହେଁ। ଯାହା ଆବଶ୍ୟକ ପଡ଼ିବ ଦିଲ୍ଲୀ ନିଶ୍ଚିତ ଭାବରେ କରିବ। କିନ୍ତୁ ଦଳର ସ୍ଥାନୀୟ ୟୁନିଟକୁ କଠିନ ପରିଶ୍ରମ କରି ଲୋକଙ୍କ ହକ୍ ପାଇଁ ଲଢ଼େଇ କରିବା ଦରକାର”।
ମୋଦି ଆସନ୍ତା ୧୦-୧୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହେବେ। ଆମେ ସେମାନଙ୍କର ଉତ୍ତମ ଶାସନ ଏବଂ ଲୋକମାନଙ୍କ ପାଇଁ ଆରମ୍ଭ ହୋଇଥିବା ଯୋଜନାରୁ ଲାଭ ପାଇବୁ, କିନ୍ତୁ ଏତିକି ଯଥେଷ୍ଟ ନୁହେଁ। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ସୋମୁ ଭେରାଜୁ ବିଜେପିର ନୂଆ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ରାମ ମାଧବ କର୍ମୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଜୋଶ ବଢ଼ାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି YSR କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏବେ ଜଗନ୍ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଆନ୍ଧ୍ରପ୍ରଦେଶର ୧୭୫ ଟି ସିଟ୍ ମଧ୍ୟରୁ ଜଗନ୍ ମୋହନ ରେଡ୍ଡୀଙ୍କ YSRCP ୧୫୧ ଟି ଆସନ ଜିତିଥିବା ବେଳେ ଚନ୍ଦ୍ରବାବୁ ନାଇଡୁର ତେଲୁଗୁ ଦେଶମ ପାର୍ଟି ୨୩ ଟି ଆସନରେ ବିଜୟୀ ହୋଇଛି। ଗୋଟିଏ ଆସନ ଜନସେନା ପାଖରେ ରହିଛି। ଏହା ପୂର୍ବରୁ ୨୦୧୪ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପି ୧୧୫ ଟି ଆସନ ଏବଂ YSR କଂଗ୍ରେସ ୭୦ ଟି ଆସନରେ ବିଜୟୀ ହୋଇଥିଲା।