ନୂଆଦିଲ୍ଲୀ: ଆପିଏଲର ପୂର୍ବତନ କମିଶନର ଲଲିତ ମୋଦିଙ୍କ ଏକ ଟ୍ୱଇଟକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆପତ୍ତି ଉଠାଯିବା ସହ ଦିଲ୍ଲୀ ପୋଲିସରେ ତାଙ୍କ ନାମରେ ମାମଲା ଦିଆଯାଇଛି । ସୂଚନା ଅନୁଯାୟୀ, ଲଲିତ ମୋଦି ତାଙ୍କର ଏକ ଟ୍ୱଇଟରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସଚିବ ଅମିତା ପାଲଙ୍କୁ ଉଲ୍ଲେଖ କରିଥିଲେ । ମୋଦି ତାଙ୍କ ଟ୍ୱଇଟିରେ ସଚିବ ପାଲଙ୍କ ନାମରେ ଯେପରି ଉଲ୍ଲେଖ କରିଛନ୍ତି ତାହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆପତ୍ତି ଉଠାଯାଇଛି । ଅଭିଯୋଗ ପତ୍ରରେ ଲଲିତ ମୋଦି ଜୁନ ୨୩ରେ କରିଥିବା ଟ୍ୱଇଟର ନକଲ ଦାଖଲ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଦିଲ୍ଲୀ ପୋଲିସକୁ ଉଚିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ମାମଲାରେ କୌଣସି ମତାମତ ଦେବାକୁ ରାଷ୍ଟ୍ରପତି ଭବନ ଅଧିକାରୀମାନେ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନ ପକ୍ଷରୁ ଏହା ପୂର୍ବରୁ ଏକ ପ୍ରସ ରିଲିଜ ଜରିଆରେ ଲଲିତ ମୋଦି ୨୩ ଜୁନରେ କରିଥିବା ଟ୍ୱଇଟକୁ ଅପରାଧିକ, ବିବାଦୀୟ ଓ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା । ଏ ନେଇ ଦିଲ୍ଲୀ ପୋଲିସ କମିଶନର ବିଏଏଓ ବସ୍ତି ଅଭିଯୋଗ ପାଇଥିବା ସୂଚନା ଦେଇଛନ୍ତି । ଏବେ ଘଟଣାର ଯାଞ୍ଚ କରାଯାଉଛି, ଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।