ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ବୃହତ ବିଜୟ ସହ ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଏକଜିଟ୍ ପୋଲ୍ ଆକଳନ କରିସାରିଛି। କିନ୍ତୁ ଏହି କଳନା ଭୁଲ ହେଲେ ଏନଡିଏକୁ ଅନ୍ୟ ଦଳଙ୍କ ସମର୍ଥନ ଯୋଗାଡ଼ କରିବାକୁ ହେବ। ଆଉ ସେହି ସମୟରେ ‘କିଙ୍ଗମେକର’ ଭୂମିକା ତୁଲାଇବେ ବିଭିନ୍ନ ଆଞ୍ଚଳିକ ଦଳ। ସେମାନେ ହିଁ ୨୭୨ର ମ୍ୟାଜିକ୍ ନମ୍ବର ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଯୋଡ଼ିବେ।
ନବୀନ ପଟ୍ଟନାୟକ: ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡିର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୪ରେ ୨୦ଟି ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେଡି ଯଦିଓ ଏଥର କମ୍ ଆସନରେ ଜିତିବା ନେଇ ଆକଳନ କରାଯାଉଛି, ତଥାପି ୧୦ରୁ ଊର୍ଦ୍ଧ୍ୱ ଆସନ ସହିତ ସେ କୌଣସି ମେଣ୍ଟରେ ସାମିଲ ହେବା ନିଶ୍ଚିତ ହୋଇସାରିଛି। କଂଗ୍ରେସ ପକ୍ଷରୁ ତାଙ୍କୁ ରାଜି କରାଇବାକୁ ପ୍ରୟାସ ଆରମ୍ଭ ହୋଇସାରିଥିବା ବେଳେ ବାତ୍ୟା ‘ଫୋନି’ ସମୟରେ ନବୀନ ଓ ମୋଦି ପରସ୍ପରକୁ ପ୍ରଶଂସା କରିବା ଏବଂ ନିର୍ବାଚନ ପରେ ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭେଟ ନୂଆ ସମୀକରଣର ଇସାରା ଦେଉଛି।
କେ ଚନ୍ଦ୍ରଶେଖର ରାଓ (କେସିଆର): ବୟସରେ ସବୁଠାରୁ କମ୍ କୁହାଯାଉଥିବା ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆର ଫେଡେରାଲ ଫ୍ରଣ୍ଟ ବା ତୃତୀୟ ସାମ୍ମୁଖ୍ୟ ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି। ସେ ଅଣ ବିଜେପି ଏବଂ ଅଣ କଂଗ୍ରେସ ମେଣ୍ଟ ଗଠନ ପାଇଁ ପ୍ରୟାସ କରୁଥିବାବେଳେ ଏହା ବାସ୍ତବ ରୂପ ନେବ କି ନା ତାହା ସନ୍ଦେହରେ। ତେବେ ଯଦି ଏନ୍ଡିଏକୁ ଆବଶ୍ୟକତା ପଡ଼େ କେସିଆର ଏନ୍ଡିଏ ଆଡ଼କୁ ଢଳିବାର ବେଶି ସମ୍ଭାବନା ରହିଛି। ଗତଥର ରାଜ୍ୟର ମୋଟ ୧୭ଟି ଲୋକସଭା ଆସନରୁ ଦଳ ୧୦ଟିରେ ବିଜୟୀ ହୋଇଥିବାବେଳେ ଏଥର ଏହା ୧୩ଟିରେ ଜିତିବାର ସମ୍ଭାବନା ରହିଛି।
ୱାଇଏସ୍ ଜଗନ୍ମୋହନ୍ ରେଡ୍ଡି: ଯୁବଜନ ଶ୍ରମିକ ରୟତୁ କଂଗ୍ରେସ ବା ୱାଇଏସ୍ଆର କଂଗ୍ରେସ ଏହାର ମୁଖ୍ୟ ୱାଇଏସ୍ ଜଗନ୍ମୋହନ୍ ରେଡ୍ଡିଙ୍କ ନେତୃତ୍ୱରେ ଏଥର ଚକ୍ମା ଦେଖାଇବାର ସମ୍ଭାବନା ରହିଛି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ମାତ୍ ଦେଇ ସର୍ବାଧିକ ଲୋକସଭା ଆସନ ହାତେଇବା ନେଇ ଆକଳନ କରାଯାଉଛି। ମେ୨୪ରେ କଂଗ୍ରେସ ଆୟୋଜନ କରୁଥିବା ବିରୋଧୀଙ୍କ ବୈଠକକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଅଡ଼ି ବସିଥିବା ଜଗନ୍ଙ୍କ ଦଳ ଆନ୍ଧ୍ରର ମୋଟ ୨୫ ଆସନରୁ ୨୦ଟିରେ ଜିତିବାର ସମ୍ଭାବନା ରହିଛି। ତେବେ ସେ ମଧ୍ୟ ସେଭଳି ସ୍ଥିତି ଉପୁଜିଲେ ଏନ୍ଡିଏ ଆଡ଼କୁ ଢଳିବାର ସମ୍ଭାବନା ରହିଛି।
ମମତା ବାନାର୍ଜୀ: କେନ୍ଦ୍ରରେ ଅଣ ବିଜେପି ସରକାର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ହିଁ ବଡ଼ ଭୂମିକା ନେବ। ନରେନ୍ଦ୍ର ମୋଦି ଏବଂ ବିଜେପିର କଟ୍ଟର ବିରୋଧୀ ମମତା ୧୯୯୮ ମସିହାରେ କଂଗ୍ରେସଠାରୁ ଅଲଗା ହୋଇ ତୃଣମୂଳ କଂଗ୍ରେସ ଗଢ଼ିଥିଲେ। ତାଙ୍କ ଦଳ ଗତ ସାଧାରଣ ନିର୍ବାଚନରେ ୩୩ଟି ଆସନରେ ଜିତିଥିଲା। ଏଥର କିନ୍ତୁ ସେ ବ୍ୟାକ୍ଫୁଟ୍ରେ ରହିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଛି। ପୂର୍ବଭାରତରେ ମୋଦିଙ୍କ ବିଜୟ ରଥ ଅଟକାଇବାରେ ବଡ଼ ଭୂମିକା ନେଇ ଆସିଥିବା ତୃଣମୂଳ ୨୦୧୯ରେ କେତେ ଆସନ ଜିତିବ, ତାକୁ ନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ମାୟାବତୀ: ବହୁଜନ ସମାଜ ପାର୍ଟିରେ ନେତୃତ୍ୱ ନେଉଥିବା ମାୟାବତୀ ଏଥର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ଥିବା ପରୋକ୍ଷରେ ଜଣାଇସାରିଛନ୍ତି। ଉତ୍ତରପ୍ରଦେଶରେ ବିଜେପି ପୂର୍ବରୁ ବୃହତ ସଂଖ୍ୟାରେ ଲୋକସଭା ଆସନରେ ଜିତିଥିବାବେଳେ ଏଥର ବିଜେପି ବିରୋଧରେ ମାୟାବତୀଙ୍କ ବିଏସ୍ପି,ଏସ୍ପି ଏବଂ ଆରଏଲଡି ସହ ମେଣ୍ଟ ବାନ୍ଧିଛି। ସେ ପୂର୍ବରୁ ମୋଦି ବିରୋଧୀ ମେଣ୍ଟରେ ଯୋଗଦେବାକୁ ଇଚ୍ଛୁକ ଥିବାବେଳେ ଏକଜିଟ୍ ପୋଲ ଫଳାଫଳ ବାହାରିବା ପରେ ସେ ବୈଠକରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି।
ଅଖିଲେଶ ଯାଦବ: ଅଖିଲେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ପୂର୍ବଥର ମାତ୍ର ୭ଟି ଆସନରେ ସନ୍ତୁଷ୍ଟ ରହିଥିଲା। ଉତ୍ତରପ୍ରଦେଶରେ ବିଏସ୍ପି ସହ ତାଙ୍କ ଦଳର ମେଣ୍ଟ ବୃହତ ସଂଖ୍ୟାରେ ସଂସଦୀୟ ଆସନରେ ନିଜର ଦବ୍ଦବା ପ୍ରଦର୍ଶନ କରିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଛି। ଉତ୍ତର ପ୍ରଦେଶ ସଂସଦକୁ ସବୁଠାରୁ ଅଧିକ ସଂଖ୍ୟାରେ ସାଂସଦ ପଠାଉଥିବାରୁ ଅଖିଲେଶଙ୍କ ଦଳ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ୨୦୧୪ରେ ୟୁପି ଭୋଟରଙ୍କ ଆଶାତୀତ ସମର୍ଥନ ବଳରେ ହିଁ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।