ଗୌହାଟୀ: ନିଆଁ ଲିଭାଇବା ପାଇଁ ପାଣି ବ୍ୟବହାର କରାଯାଏ। ଆଉ ଏହି ପାଣି ମୁଖ୍ୟତଃ ନଦୀ, ନାଳ ଓ ପୋଖରୀରୁ ଦମକଳ ସାହାଯ୍ୟରେ ଅଣାଯାଇ ନିଆଁ ଲିଭାଯାଏ। ହେଲେ ଆସାମର ଦିବ୍ରୁଗଡ଼ରେ ଥିବା ଗୋଟେ ନଦୀରେ ନିଆଁ ଲାଗିବା ନିଶ୍ଚୟ ଆଶର୍ଯ୍ୟକର ବୋଧ ହୋଇପାରେ। ଖବରଟି ଅଜବ ଲାଗିଲେ ମଧ୍ୟ ସତ। କାରଣ ନଦୀରେ ମିଶିଛି ଦହନଶୀଳ ପଦାର୍ଥ ଅଶୋଧିତ ତେଲ।
ଗୌହାଟିରୁ ୪୦୦ କିଲୋମିଟର ଦୂରରେ ଥିବା ଦିବ୍ରୁଗଡ ଜିଲ୍ଲାର ବୁରହି ଦିହିଙ୍ଗ ନଦୀରେ ଏହି ନିଆଁ ଲାଗିଛି। ତେଲ ପାଇପ୍ ଲାଇନ୍ରେ ବିସ୍ଫୋରଣ ଘଟିବା ଫଳରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଦୁଲିଆଜନ୍ରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ର ଏକ ପାଇପ୍ ଲାଇନ୍ ନଦୀ ଭିତର ଦେଇ ଆରପଟକୁ ଯାଇଛି। ଏହି ପାଇପ୍ ଲାଇନରେ ଅଶୋଧିତ ତୈଳ ଯୋଗାଣ ହୋଇଥାଏ। ତେବେ କୌଣସି କାରଣରୁ ପାଇପ୍ ଲାଇନ୍ରେ ବିସ୍ଫୋରଣ ହେବା ଫଳରେ ନିଆଁ ଲାଗି ଯାଇଛି। ଗତ ଦୁଇ ଦିନ ଧରି ଏହି ନିଆଁ ଜଳୁଛି। ନିଆଁ ଲାଗିବା କାରଣରୁ କେହି ମୃତାହତ ହୋଇ ନାହାନ୍ତି।
ଅଏଲ ଇଣ୍ଡିଆ ସିନିଅର ମ୍ୟାନେଜର (କର୍ପୋରେଟ କମ୍ୟୁନିକେସନ) ତ୍ରିଦିବ ହଜରିକା କହିଛନ୍ତି, ଜାନୁଆରୀ ୩୧ ମଧ୍ୟରାତ୍ରୀ ଏବଂ ଫେବୃଆରୀ ୧ ସକାଳ ମଧ୍ୟରେ ତେଲ ପାଇପ ଲାଇନ ବିସ୍ପୋରଣ କରିଥିଲା। ଏହାପରେ ନିଆଁ ଲାଗି ରହିଛି। ଏବେ ଏକ ଟେକ୍ନିକାଲ ଟିମ୍ ନିଆଁ ଲିଭାଇବା ସହିତ ଦୁର୍ଘଟଣାସ୍ଥଳକୁ ଯାଇ ମରାମତି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।