ସୁପ୍ରିମକୋର୍ଟରେ ‘କଶ୍ମୀର’: ଜବାବ ଦାଖଲ ପାଇଁ କେନ୍ଦ୍ରକୁ ୨୮ ଦିନର ସମୟ ଦେଲେ ସାମ୍ବିଧାନିକ ବେଞ୍ଚ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ଉପତ୍ୟକାରେ ୨ ମାସ ହେଲା ଲାଗୁ ହୋଇଥିବା କଟକଣା ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଆରମ୍ଭ ହୋଇଛି। ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାର ସମସ୍ତ ଆବେଦନ ଉପରେ ଜବାବ ରଖିବା ପାଇଁ ଖଣ୍ଡପୀଠକୁ ସମୟ ମାଗିଥିଲେ। ଖଣ୍ଡପୀଠ କେନ୍ଦ୍ର ଆବେଦନକୁ ଗ୍ରହଣ କରିବା ସହ ଜବାବ ଦାଖଲ ପାଇଁ ୪ ସପ୍ତାହ ବା ୨୮ ଦିନର ସମୟ […]

dd

Hemant Lenka
  • Published: Tuesday, 01 October 2019
  • , Updated: 01 October 2019, 01:16 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ଉପତ୍ୟକାରେ ୨ ମାସ ହେଲା ଲାଗୁ ହୋଇଥିବା କଟକଣା ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଆରମ୍ଭ ହୋଇଛି। ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାର ସମସ୍ତ ଆବେଦନ ଉପରେ ଜବାବ ରଖିବା ପାଇଁ ଖଣ୍ଡପୀଠକୁ ସମୟ ମାଗିଥିଲେ। ଖଣ୍ଡପୀଠ କେନ୍ଦ୍ର ଆବେଦନକୁ ଗ୍ରହଣ କରିବା ସହ ଜବାବ ଦାଖଲ ପାଇଁ ୪ ସପ୍ତାହ ବା ୨୮ ଦିନର ସମୟ ଦେଇଛନ୍ତି। ଆସନ୍ତା ନଭେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କଶ୍ମୀର ମାମଲାର ଶୁଣାଣି ପାଇଁ ଜଷ୍ଟିସ ଏନ୍‌ଭି ରମନ୍ନାଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଥିଲେ। ଆଜି ଉକ୍ତ ଖଣ୍ଡପୀଠ କଶ୍ମୀର ସଂକ୍ରାନ୍ତ ଆବେଦନର ଶୁଣାଣି ଆରମ୍ଭ କରିଥିଲେ।

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସମସ୍ତ ଆବେଦନ ଉପରେ ଜବାବ ଦାଖଲ କରିବାକୁ ୪ ସପ୍ତାହ ସମୟ ମାଗିଥିଲେ। ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସମାନ ସମୟ ଅବଧି ମାଗିଥିଲେ। ତେବେ ଏହାକୁ ଆବେଦନକାରୀ ମାନେ ବିରୋଧ କରିଥିଲେ। କେନ୍ଦ୍ର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ୨ ସପ୍ତାହରୁ ଅଧିକ ସମୟ ନ ଦେବା ପାଇଁ ସେମାନେ ଯୁକ୍ତି କରିଥିଲେ।

ଏହାପରେ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ, “କେନ୍ଦ୍ର ନିଶ୍ଚିତ ଭାବେ ଜମ୍ମୁ-କଶ୍ମୀରକୁ ନେଇ ଆଗତ ହୋଇଥିବା ସମସ୍ତ ଆବେଦନ ଉପରେ ଜବାବ ଦାଖଲ କରିବା ଦରକାର। କେନ୍ଦ୍ର ଜବାବ ନ ରଖିଲେ, ଆମେ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବୁ ନାହିଁ। କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ୨୮ ଦିନ ମଧ୍ୟରେ ଜବାବ ଦାଖଲ କରି ସାରିବା ପରେ ଏହାକୁ ଆବେଦନକାରୀଙ୍କୁ ଦିଆଯିବ।

ଆବେଦନକାରୀ ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ରର ଜବାବକୁ ତର୍ଜମା କରି ନିଜର ପକ୍ଷ ରଖିବେ। ଏହି ପ୍ରକ୍ରିୟା ନଭେମ୍ବର ୧୩ ସୁଦ୍ଧା ସରିବ। କୋର୍ଟ ନଭେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ସେହିପରି ମଙ୍ଗଳବାର ଯାଏ ଆଗତ ହୋଇଥିବା କଶ୍ମୀର ସଂକ୍ରାନ୍ତ ସମସ୍ତ ଆବେଦନର ଶୁଣାଣି ହେବ। ଏହାପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ। ସୁପ୍ରିମକୋର୍ଟ ରେଜିଷ୍ଟାର ଏହାକୁ ନିଶ୍ଚିତ କରିବା ଦରକାର।”

ଏହି ଖଣ୍ଡପୀଠରେ ଜଷ୍ଟିସ୍ ରମନ୍ନାଙ୍କ ବ୍ୟତୀତ ଜଷ୍ଟିସ ଏସକେ କାଉଲ, ଜଷ୍ଟିସ୍‌ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୧ ପରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଉପରେ ନେଇଥିବା ନୂଆ ନିଷ୍ପତ୍ତି ବିଧିବଦ୍ଧ ଭାବେ ଲାଗୁ ହେବ। ହେଲେ ସୁପ୍ରିମକୋର୍ଟ କେନ୍ଦ୍ରକୁ ୪ ସପ୍ତାହ ସମୟ ଦେଇଥିବାରୁ, ଏହା କେମିତି ଲାଗୁ ହେବ ତା’କୁ ନେଇ ପ୍ରଶ୍ନ ଉଠିଛି।

Related story