ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ଡିସେମ୍ବର ୫ତାରିଖରେ ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଯାଇଥିବା ଯବାନ ରାଜେଶ ଯାଦବଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରାଜେଶଙ୍କ ମୃତ୍ୟୁକୁ ୨ମାସରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି। ରାଜେଶଙ୍କ ମୃତ୍ୟୁର ଶୋକ ଭୁଲିବାକୁ ଭଗବାନ ତାଙ୍କ ବିଧବା ପତ୍ନୀଙ୍କ କୋଳରେ ପୁତ୍ର ସନ୍ତାଟିଏ ଦେଇଛନ୍ତି।
ଆଉ ପୁଅକୁ ପାଇ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି, “ପୁଅ ବଡ଼ ହେଲେ ତାକୁ ସେନାକୁ ପଠାଇବି। ସେ ପାକିସ୍ତାନଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ।”
ଉତ୍ତରପ୍ରଦେଶର ଏଟା ନିବାସୀ ରାଜେଶ ଯାଦବ ୫ ଡିସେମ୍ବର ୨୦୧୮ରେ ପାକିସ୍ତାନର ସୀମାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ । ଆଉ ସେହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ସ୍ୱାମୀଙ୍କ ସହିଦ ହେବା ଦୁଖ ଥିଲେ ମଧ୍ୟ କଅଁଳ ପୁଅର ମୁହଁ ଦେଖି ଟିକିଏ ଆସ୍ୱସ୍ଥ ହୋଇଛନ୍ତି ଶ୍ୱେତା । ପୁଅକୁ ଭାରତୀୟ ସେନାରେ ଜଣେ ବୀର ସୈନିକ ଭାବେ ଦେଖିବା ପାଇଁ ସେ ଚାହୁଛନ୍ତି।
ସହିଦ ରାଜେଶ ଯାଦବଙ୍କ ବାପା କହିଛନ୍ତି ପୁଅ ସହିଦ ହେବାର ଦୁଃଖ ଅଛି, ହେଲେ ନାତିକୁ ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଉଛି । ସବୁଠାରୁ ବଡ଼ ଖୁସିର କଥା ହେଲା ପୁଅକୁ ହରାଇ ଥିଲେ ମଧ୍ୟ ସେ ନାତିକୁ ବଡ଼ କରି ସେନାକୁ ପଠାଇବା ପାଇଁ ଚାହୁଁଛନ୍ତି ।